କରୋନାକୁ ହରାଇଲେ ୧୦୩ ବର୍ଷ ବୟସର ସ୍ବାଧୀନତା ସଂଗ୍ରାମୀ | News Room Odisha

କରୋନାକୁ ହରାଇଲେ ୧୦୩ ବର୍ଷ ବୟସର ସ୍ବାଧୀନତା ସଂଗ୍ରାମୀ

ବେଙ୍ଗାଲୁରୁ: ଗୋଟିଏ ପଟେ କରୋନା ଦେଶରେ ମୃତ୍ୟୁର ତାଣ୍ଡବ ରଚି ଚାଲିଥିବା ବେଳେ ଅନ୍ୟପଟେ ଏହି ଘାତକ ରୋଗରୁ ବହୁ ଲୋକ ସୁସ୍ଥ ବି ହେଉଛନ୍ତି । ଏହି କ୍ରମରେ ଜଣାଶୁଣା ଗାନ୍ଧୀବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଏଚ୍. ଦୋରେସ୍ବାମୀ ୧୦୩ ବର୍ଷ ବୟସରେ କୋଭିଡକୁ ହରାଇ ଅନ୍ୟ ରୋଗୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସେ ଏହା ପ୍ରମାଣିତ କରିଛନ୍ତି ଯେ ମନୋବଳ ଦୃଢ଼ ରଖିଲେ ଏହି ମହାମାରୀକୁ ହରାଇ ହେବ ।

ବୟୋବୃଦ୍ଧ ଦୋରେସ୍ବାମୀ ଜଣେ ଗାନ୍ଧୀବାଦୀ ନେତା ଥିଲେ । ଭାରତଛାଡ଼ ଏବଂ ମୟୀସୁରୁ ଚାଲୋ ଆନ୍ଦୋଳନରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ |

ଦୋରେସ୍ବାମୀ କହିଛନ୍ତି ଯେ ପାଞ୍ଚ ଦିନ ପୂର୍ବରୁ ସେ କରୋନାର ଲକ୍ଷଣ ଅନୁଭବ କରିଥିଲେ, କିନ୍ତୁ ଏଥିରେ କୌଣସି ଜଟିଳତା ନଥିଲା। ଏହା ସତ୍ତ୍ୱେ ମୁଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ସ୍ଥିର କଲି, କାରଣ ମୋର ଶ୍ୱାସକ୍ରିୟାରେ ସମସ୍ୟା ଅଛି |

ଦୋରେସ୍ବାମୀଙ୍କ ଅନୁଯାୟୀ, ତାଙ୍କୁ ସରକାରୀ ମାଲିକାନାରେ ଥିବା ଏକ ସ୍ୱୟଂଶାସିତ ହସ୍ପିଟାଲ ଜୟଦେବ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଭାସ୍କୁଲାର୍ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡାଙ୍କ ଜ୍ବାଇଁ ତଥା ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ସେହି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡକ୍ଟର ସି.ଏ. ମଞ୍ଜୁନାଥ ବ୍ୟକ୍ତିଗତ ଭାବେ ଦୋରେସ୍ବାମୀଙ୍କ ଚିକିତ୍ସା ଉପରେ ନଜର ରଖିଥିଲେ।

ଦୋରେସ୍ବାମୀ ଭାରତଛାଡ଼ ଆନ୍ଦୋଳନରେ ଭାଗ ନେଇଥିଲେ ଏବଂ ଏଥିପାଇଁ ୧୯୪୩ ରୁ ୧୯୪୪ ପର୍ଯ୍ୟନ୍ତ ୧୪ ମାସ କାରାଦଣ୍ଡ ଭୋଗିଥିଲେ। ଏହି ଶତାୟୁ ଗାନ୍ଧୀବାଦୀ ମଧ୍ୟ ମୟୀସୂୂୂର ଚଲୋ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ,ଯେଉଁଥିପାଇଁ ମୟୀସୂୂୂର ମହାରାଜଙ୍କୁ ତାଙ୍କ ରାଜ୍ୟକୁ ସ୍ୱାଧୀନତା ପରେ ଭାରତୀୟ ୟୁନିୟନରେ ମିଶ୍ରଣ କରିବାକୁ ପଡ଼ିଥିଲା |