କରୋନା ଅପଡେଟ୍‌: ଚିହ୍ନଟ ହେଲେ ଆଉ ୧୬,୪୮୮ ଆକ୍ରାନ୍ତ | News Room Odisha

କରୋନା ଅପଡେଟ୍‌: ଚିହ୍ନଟ ହେଲେ ଆଉ ୧୬,୪୮୮ ଆକ୍ରାନ୍ତ

ନୂଆଦିଲ୍ଲୀ – ଦେଶରେ ଏବେ କରୋନା ସଂକ୍ରମଣର ଗ୍ରାଫ୍ ପୁଣି ଉର୍ଦ୍ଧ୍ୱମୁହାଁ ହେବାରେ ଲାଗିଛି । କ୍ରମାଗତ ତୃତୀୟ ଦିନ ପାଇଁ ଭାରତରେ ୧୬ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୬,୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣ ଲୋକଙ୍କ ଏହି ରୋଗରେ ପ୍ରାଣ ହରାଇଛନ୍ତି । କରୋନାରୁ ଆଉ ୧୨,୭୭୧ ଲୋକ ସୁସ୍ଥ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୭୯,୯୭୯କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୬ ହଜାର ୯୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୭ ଲକ୍ଷ ୬୩ ହଜାର ୪୫୧ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ମାମଲା ବଢ଼ିବା ସହ ଦେଶରେ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଏବେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୫୯ ହଜାର ୫୯୦କୁ ବୃଦ୍ଧି ପାଇଛି ।
ଭାରତରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଜାରି ରହିଛି । ଏ ଯାବତ୍ ଦେଶରେ ୧ କୋଟି ୪୨ ଲକ୍ଷ ୪୨,୫୪୭ ଜଣଙ୍କୁ ଟିକା ଦିଆଯାଇଛି । ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ସହ ୪୫ ବର୍ଷରୁ ଊର୍ଦ୍ଧ୍ୱ ରୋଗାକ୍ରାନ୍ତ ଲୋକଙ୍କୁ ଟିକା ଦିଆଯିବ ।