କରୋନା ଚେନ୍ ଭାଙ୍ଗିବାକୁ ରାଉରକେଲା ମହାନଗରବାସୀଙ୍କୁ ନିବେଦନ କଲେ କମିଶନର | News Room Odisha

କରୋନା ଚେନ୍ ଭାଙ୍ଗିବାକୁ ରାଉରକେଲା ମହାନଗରବାସୀଙ୍କୁ ନିବେଦନ କଲେ କମିଶନର

ରାଉରକେଲା: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର ରାଜ୍ୟରେ ଲକଡାଉନ୍ ଲାଗୁ କରିଛନ୍ତି। ତେଣୁ ଏହି ନିୟମକୁ ଠିକ ଭାବେ ପାଳନ କରି କୋଭିଡ୍ ମହାମାରୀ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଆଣିବା ଲାଗି ରାଉରକେଲା ମହାନଗରବାସୀଙ୍କୁ ଅନୁରୋଧ କରିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା। ଏହା ସହ କୋଭିଡ୍ ପରିଚାଳନା ବେଳେ ନିଆଯାଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଛନ୍ତି।

‘‘କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଆପଣମାନଙ୍କର ସହଯୋଗ ଆବଶ୍ୟକ। ଆମେ ସମସ୍ତେ ଲକଡାଉନ ନିୟମ ମାନି ଘରେ ରହିବା। ନିହାତି ଆବଶ୍ୟକ ନହେଲେ ବାହାରକୁ ଯିବା ନାହିଁ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଗ୍ରୋସରି, ପନିପରିବା, କ୍ଷୀର ଆଦି ଦୋକାନ ଖୋଲା ରହୁଛି। କିନ୍ତୁ ଲୋକେ ବାରମ୍ବାର ବଜାରକୁ ଆସି ଗହଳି କରନ୍ତୁ ନାହିଁ। ବରଂ ନିଜ ଘର ପାଖ ଦୋକାନରୁ ଅତି ଆବଶ୍ୟକ ଜିନିଷ କିଣନ୍ତୁ। ସମସ୍ତେ ସଚେତନ ହେଲେ ଆମେ କରୋନାର ଚେନ୍ ଭାଙ୍ଗିବା ସମ୍ଭବପର ହେବ’’, ଗୁରୁବାର ଦିନ ସୂଚନା ଦେଇ କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

କୋଭିଡ୍ ନିୟନ୍ତ୍ରଣ ପାଇଁ ରାଉରକେଲାରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଅଞ୍ଚଳରେ ସର୍ଭେ କରାଯାଉଛି। ଯେଉଁଠି ଲୋକଙ୍କ ଭିତରେ କରୋନାର ଲକ୍ଷଣ ଦେଖାଦେଉଛି ସେହି ସବୁ ଅଞ୍ଚଳରେ ବ୍ୟାପକ ଟେଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଉଛି। ତେଣୁ ଆବଶ୍ୟକ ଜାଗାରେ ଲୋକଙ୍କୁ ହୋମ୍ ଆଇସୋଲେସନ ପାଇଁ ପରାମର୍ଶ ଦିଆଯିବା ସହ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ମାଧ୍ୟମରେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ରଖାଯାଉଛି। ଆରଆରଟି ଘର ଘର ବୁଲି ଲୋକଙ୍କୁ କୋଭିଡ୍ ସମ୍ପର୍କରେ ପରାମର୍ଶ ଦେବା ସହ ଔଷଧ ବଣ୍ଟନ କରୁଛନ୍ତି। ଗୁରୁତର ରୋଗୀଙ୍କୁ କୋଭିଡ୍ ହସ୍ପିଟାଲକୁ ନେଇ ଚିକିତ୍ସା ଯୋଗାଇବା ଲାଗି ବ୍ୟବସ୍ଥା କରାଯାଉଛି।

କୋଭିଡ୍ ପାଇଁ ଭୟଭୀତ ନହେବାକୁ କମିଶନର ପରାମର୍ଶ ଦେଇଛନ୍ତି। ରାଉରକେଲାରେ କୋଭିଡ୍ ଟେଷ୍ଟିଂ ପାଇଁ ୯ଟି କେନ୍ଦ୍ର ରହିଛି। ତେଣୁ କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଭଳି ଲକ୍ଷଣ ଦେଖାଦେଲେ ସେମାନେ ଯେକୌଣସି କେନ୍ଦ୍ରରେ ତୁରନ୍ତ ପରୀକ୍ଷା କରାଇବା ଦରକାର। ଲକ୍ଷଣ ଥିଲେ କିମ୍ବା ପଜିଟିଭ୍ ବାହାରିଲେ ଡାକ୍ତରଙ୍କ ପରାମର୍ଶ ସହ ହୋମ୍ ଆଇସୋଲେସନରେ ରହି ଚିକିତ୍ସା କରିବାକୁ ସେ ଅନୁରୋଧ କରିଛନ୍ତି।
କରୋନାକୁ ହରାଇବାକୁ ସମସ୍ତଙ୍କୁ କୋଭିଡ୍ ଉପଯୋଗୀ ଅଚରଣ ପ୍ରଦର୍ଶନ କରିବାକୁ ପଡ଼ିବ। ସବୁବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ। ସେହିପରି ସାବୁନ୍ କିମ୍ବା ସାନିଟାଇଜରରେ ବାରମ୍ବାର ହାତ ଧୋଇବା ସହ ଭିଡ଼ ସ୍ଥାନକୁ ନଯିବାକୁ କମିଶନର ପରାମର୍ଶ ଦେଇଛନ୍ତି।
କାହାର ଦେହ ଖରାପ ହେଲେ ରାଉରକେଲା ମହାନଗର ନିଗମ ହେଲ୍ପଲାଇନ୍ ନମ୍ବର୧୮୦୦ ୩୪୫ ୭୪୬୮ କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ ନମ୍ବର ୧୮୦୦ ୩୪୫ ୭୪୬୧ରେ ଯୋଗାଯୋଗ କରିବାକୁ ସେ ସୂଚନା ଦେଇଛନ୍ତି।