କରୋନା ଟିକାର ପାର୍ଶ୍ଵ ପ୍ରତିକ୍ରିୟା ହେଲେ କ୍ଷତିପୂରଣ ଦେବେ ବ୍ରିଟେନ ସରକାର | News Room Odisha

କରୋନା ଟିକାର ପାର୍ଶ୍ଵ ପ୍ରତିକ୍ରିୟା ହେଲେ କ୍ଷତିପୂରଣ ଦେବେ ବ୍ରିଟେନ ସରକାର

ଲଣ୍ଡନ – ଆସନ୍ତା ସପ୍ତାହରୁ ବ୍ରିଟେନରେ କରୋନା ଟିକାକରଣ ପୂର୍ବରୁ ସେଠାକାର ସରକାର ଏକ ବଡ ଘୋଷଣା କରିଛନ୍ତି। ଯଦି କରୋନା ଟିକା ନେବା ପରେ କାହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ, ତେବେ ବ୍ରିଟେନ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବେ । ଉଲ୍ଲେଖନୀୟ କଥା ହେଉଛି, ବ୍ରିଟେନ ଫାଇଜର ଏବଂ ବାୟୋଏଣ୍ଟେକ୍ ର କୋଭିଡ୍-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରିଛି । ବ୍ରିଟେନ ପ୍ରଥମ ଦେଶ ଭାବେ ନାଗରିକମାନଙ୍କ ଟିକାକରଣ ନେଇ ଘୋଷଣା କରିଛି।

ସୂଚନାଯୋଗ୍ୟ ଯେ ବ୍ରିଟିଶ ଡ୍ରଗ୍ସ ନିୟାମକ ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋଏଣ୍ଟେକ୍ ଦ୍ୱାରା ପ୍ରସ୍ତୁତ ଟିକାକୁ ମଞ୍ଜୁରି ଦେଇଛନ୍ତି । ପରୀକ୍ଷଣରେ ଏହି ଟିକା ୯୫% ସଫଳ ହୋଇଥିଲା । ଏହା ପରେ ବ୍ରିଟେନ ଏହି ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ବ୍ରିଟେନ ଏହି ଟିକାର ସମୁଦାୟ ୪୦ ନିୟୁତ ତଥା ୪ କୋଟି ଡୋଜ୍ ଅର୍ଡର କରିଛି, ଯାହା ଦୁଇ କୋଟି ଲୋକଙ୍କୁ ଦିଆଯାଇପାରିବ।
ଏହି ଟିକା ର ଦୁଇଟି ଡୋଜ୍ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୧ ଦିନ ବ୍ୟବଧାନରେ ଦିଆଯିବ । ୧୬ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଏହି ଟିକା ଦେବାକୁ ବ୍ରିଟେନ ନିଷ୍ପତ୍ତି ନେଇଛି ।

COVID-19