କରୋନା ପ୍ରଭାବ: ବର୍ଷେ ବିଳମ୍ବ ହେବ ମିଶନ ‘ଗଗନଯାନ’ | News Room Odisha

କରୋନା ପ୍ରଭାବ: ବର୍ଷେ ବିଳମ୍ବ ହେବ ମିଶନ ‘ଗଗନଯାନ’

ନୂଆଦିଲ୍ଲୀ – କରୋନା ସଙ୍କଟ ଯୋଗୁଁ ଭାରତର ମହାକାଶ ଗବେଷଣା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ଏଥିଯୋଗୁଁ ମହାକାଶକୁ ଭାରତର ମାନବ ପ୍ରେରଣ ଅଭିଯାନ ‘ଗଗନଯାନ’ରେ ଆହୁରି ବିଳମ୍ବ ହେବା ସ୍ପଷ୍ଟ ହୋଇଛି । ମିଶନ ‘ଗଗନଯାନ’ ଆହୁରି ବର୍ଷେ ବିଳମ୍ବ ହେବା ସମ୍ଭାବନା ରହିଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ତରଫରୁ କୁହାଯାଇଛି । ‘ଗଗନଯାନ’ ମିଶନ ଅଧୀନରେ ଭାରତ ମହାକାଶକୁ ପ୍ରଥମ ଥର ମାନବ ପଠାଇବ । ତେବେ ତା’ପୂର୍ବରୁ ଦୁଇଟି ମାନବରହିତ ମିଶନକୁ ମହାକାଶକୁ ପଠାଯିବା ଯୋଜନା ରହିଛି । ପ୍ରଥମ ମାନବ ରହିତ ମିଶନ ଡିସେମ୍ବର-୨୦୨୦ ଏବଂ ଦ୍ୱିତୀୟ ମିଶନ ଜୁନ୍ ୨୦୨୧ରେ ପଠାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ଏହାପରେ ‘ଗଗନଯାନ’ ମିଶନ ଅଧୀନରେ ଡିସେମ୍ବର ୨୦୨୧ରେ ମହାକାଶକୁ ମାନବ ପଠାଇବାକୁ ଭାରତ ଲକ୍ଷ୍ୟ ରଖିଥିଲା । ଇସ୍ରୋ ଚେୟାରମ୍ୟାନ କେ.ଶିବନ କହିଛନ୍ତି ଯେ, କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ମିଶନରେ ବିଳମ୍ବ ହେବ । ଆସନ୍ତା ବର୍ଷ ଶେଷ ଆଡକୁ କିମ୍ବା ୨୦୨୨ରେ ଏହି ମିଶନ କାର୍ଯ୍ୟକାରୀ କରିବାକୁ ଇସ୍ରୋର ଲକ୍ଷ୍ୟ ରହିଛି ବୋଲି ଶିବନ କହିଛନ୍ତି ।