କରୋନା ବିଗାଡ଼ିଲା ଖେଳ: ଆଇପିଏଲ୍‌-୨୦୨୧ ସ୍ଥଗିତ | News Room Odisha

କରୋନା ବିଗାଡ଼ିଲା ଖେଳ: ଆଇପିଏଲ୍‌-୨୦୨୧ ସ୍ଥଗିତ

ନୂଆଦିଲ୍ଲୀ: ଏକାଧିକ ଖେଳାଳି କରୋନା ପଜିଟିଭ୍ ହେବା ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) -୨୦୨୧କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି । ଆଜି ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇ ପଦାଧିକାରୀଙ୍କ ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବିସିସିଆଇ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ବିସିସିଆଇ ଖେଳାଳି, କୋଚିଂ ଷ୍ଟାଫ୍ ଏବଂ ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ସହ ସାଲିସ୍ କରିବ ନାହିଁ । ଟୁର୍ଣ୍ଣାମେଣ୍ଟର ସବୁ ଅଂଶୀଦାରଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ସୋମବାର ପ୍ରଥମେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତି ଓ ସନ୍ଦୀପ ୱାରିୟର କୋଭିଡ୍ ପଜିଟିଭ୍ ହେବା ପରେ ଆଇପିଏଲ୍‌ଣ୍ଟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଥିଲା । ଗତକାଲି ଅହମ୍ମଦାବାରେ ଖେଳାଯିବାକୁ ଥିବା କେକେଆର-ଆରସିବି ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା । ପୁଣି କାଲି ସନ୍ଧ୍ୟାରେ ଖବର ଆସିଲା ଯେ ଚେନ୍ନାଇ ସୁପରକିଙ୍ଗ୍‌ସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀଙ୍କ ସମେତ ତିନି ସଦସ୍ୟ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ପ୍ରଟୋକୋଲ ଅନୁସାରେ ସିଏସ୍‌କେ ଟିମ୍‌କୁ ଆଇସୋଲେସନରେ ରଖାଯାଇଥିଲା ।

ଆଜି ସନରାଇଜର୍ସ ହାଇଦ୍ରାବାଦ୍ ଖେଳାଳି ରିଦ୍ଧିମାନ ଶାହା ପଜିଟିଭ୍ ହେବା ପରେ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ସମ୍ଭାବନା ବଢ଼ିଯାଇଥିଲା ।

ଭାରତରେ ଭୟାବହ କରୋନା ସ୍ଥିତି ଦୃଷ୍ଟିରୁ କିଛିଦିନ ତଳେ ଅଷ୍ଟ୍ରେଲିଆର ତିନି ଖେଳାଳି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ । ଏହାପରେ ବିସିସିଆଇ ତରଫରୁ ଆଇପିଏଲର ଅନ୍ୟ ବିଦେଶୀ ଖେଳାଳିଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ସେମାନଙ୍କୁ ଟୁର୍ଣ୍ଣାମେଣ୍ଟ ସରିଲେ ସୁରକ୍ଷିତ ଭାବେ ସେମାନଙ୍କ ଦେଶରେ ପହଞ୍ଚାଇ ଦିଆଯିବ ।

ଚଳିତ ସିଜନରେ ୫୬ ଲିଗ୍ ମ୍ୟାଚ୍ ମଧ୍ୟରୁ ୨୯ଟି ମ୍ୟାଚ୍ ଖେଳାଯାଇଥିଲା । ମେ ୨ରେ ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଶେଷ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।