କରୋନା ରୋଗୀଙ୍କ ଚିକିତ୍ସା ଲାଗି ‘ଭିରାଫିନ’ର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି | News Room Odisha

କରୋନା ରୋଗୀଙ୍କ ଚିକିତ୍ସା ଲାଗି ‘ଭିରାଫିନ’ର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ – କରୋନାର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ ‘ରେମଡେସବିର’ ଓ ‘ଫାବିପିରାବିର’ ଭଳି ଜୀବନ ରକ୍ଷାକାରୀ ଔଷଧର ସୀମିତ ଯୋଗାଣ ଓ ଉପଲବ୍ଧତା ସ୍ଥିତିକୁ ଆହୁରି ସଙ୍ଗୀନ କରିଥିବା ବେଳେ ଭାରତୀୟ ଡ୍ରଗ୍ସ ନିୟାମକ ‘ଡିସିଜିଆଇ’ ଶୁକ୍ରବାର ଆଉ ଏକ ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଫାର୍ମା କମ୍ପାନୀ ଜାଏଡସ୍ ଦ୍ୱାରା ପ୍ରସ୍ତୁତ ‘ଭିରାଫିନ୍‌’କୁ ଡିସିଜିଆଇ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଏହି ଔଷଧ ମଧ୍ୟମ ଧରଣର ଲକ୍ଷଣ ଥିବା ବୟସ୍କ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଇ ପାରିବ ।

ଜାଏଡସ୍ ତରଫରୁ କୁହାଯାଇଛି ଯେ, ଏହାର ଔଷଧ ‘ଭିରାଫିନ୍‌’କୁ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଡିଜିସିଆଙ୍କ ଅନୁମତି ମିଳିଛି । ଏହା ଏକ ଆଣ୍ଟି ଭାଇରାଲ ଔଷଧ, ଯାହା ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯିବ । ‘ଭିରାଫିନ୍‌’ର ଏକ ସିଙ୍ଗଲ ଡୋଜ୍ ଦ୍ୱାରା ରୋଗୀକୁ ଉପଶମ ମିଳିପାରିବ ଏବଂ ସଂକ୍ରମଣ ଜନିତ ଜଟିଳତାରୁ ରୋଗୀଙ୍କୁ ବଞ୍ଚାଇ ପାରିବ । ଏହି ଔଷଧ କେବଳ ଡାକ୍ତରୀ ପରାମର୍ଶରେ ହିଁ ରୋଗୀଙ୍କୁ ଦିଆଯିବ ।