କୁମ୍ଭମେଳା ଓ ନିର୍ବାଚନ ରାଲି ନେଇ ପାଟି ଫିଟାଇଲେ ମୁଣ୍ଡ କାଟ୍ ହେବ: ପୁନାୱାଲା | News Room Odisha

କୁମ୍ଭମେଳା ଓ ନିର୍ବାଚନ ରାଲି ନେଇ ପାଟି ଫିଟାଇଲେ ମୁଣ୍ଡ କାଟ୍ ହେବ: ପୁନାୱାଲା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ)ର ଅଧ୍ୟକ୍ଷ ଆଦର ପୁନାୱାଲା ବ୍ରିଟେନର ‘ଟାଇମ୍ସ’କୁ ଦେଇଥିବା ସାକ୍ଷାତକାର ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ ଏହି ସାକ୍ଷାତକାରରେ କିଛି ଚାଞ୍ଚଲ୍ୟକର ଅଭିଯୋଗ କରିବା ସହ ଭାରତରେ କୋଭିଡ୍ ସ୍ଥିତି ସମ୍ପର୍କରେ ମଧ୍ୟ ନିଜ ମତ ରଖିଛନ୍ତି । ଭାରତରରେ ଭୟଙ୍କର ଦ୍ୱିତୀୟ ଲହରୀ ସଂକ୍ରମଣ ପାଇଁ ନିର୍ବାଚନ ରାଲି ଓ କୁମ୍ଭମେଳାକୁ ମଧ୍ୟ ଦାୟୀ କରାଯାଉଥିଲେ ବି ଏହି ଦୁଇ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଲେ ଜୀବନ ପ୍ରତି ବିପଦ ଅଛି ବୋଲି ପୁନାୱାଲା କହିଛନ୍ତି ।

କରୋନାର ଦ୍ୱିତୀୟ ଲହରୀ ପଛରେ ପ୍ରକୃତ କାରଣ କଣ ସେନେଇ ଯଦି ସେ ଠିକ୍ ଉତ୍ତର ଦେବେ ବା ଆଉ କିଛି କହନ୍ତି, ତେବେ ତାଙ୍କର ମୁଣ୍ଡ କାଟି ଦିଆଯିବ ବୋଲି ପୁନାୱାଲା କହିଛନ୍ତି । ଏହି ଦୁଇ ପ୍ରସଙ୍ଗ ବେଶ୍ ସମ୍ବେଦନଶୀଳ । ଏହା ଉପରେ କିଛି କହିବାକୁ ସେ ଚାହୁଁ ନାହାନ୍ତି ବୋଲି ସମ୍ପ୍ରତି ଲଣ୍ଡନରେ ଥିବା ପୁନାୱାଲା କହିଛନ୍ତି ।

ଟିକା ପାଇଁ ତାଙ୍କୁ ଭାରତର କିଛି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଭାବଶାଳୀ ନେତା ଓ ବ୍ୟବସାୟୀଙ୍କ ଠାରୁ ଧମକ ମିଳୁଛି ବୋଲି ମଧ୍ୟ ପୁନାୱାଲା ଅଭିଯୋଗ କରିଛନ୍ତି । ଭାରତରେ ‘କୋଭିଶିଲ୍ଡ’ ଟିକା ଉତ୍ପାଦନ କରୁଥିବା ପୁନାୱାଲା କହିଛନ୍ତି ଯେ, ତାଙ୍କୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି । ଶୀଘ୍ର ଟିକା ଯୋଗାଅ ନଚେତ୍ ପରିଣାମ ଭଲ ହେବନି ବୋଲି ତାଙ୍କୁ ଧମକ ମିଳୁଛି । ସାମ୍ପ୍ରତିକ ପରିସ୍ଥିତିରେ ତାଙ୍କ ଉପରେ ବହୁତ ଚାପ ଅଛି । ସେ ଏକୁଟିଆ ସବୁ କରିପାରିବେ ନାହିଁ । ଏପରି ସ୍ଥିତିରେ ସେ ଭାରତ ଫେରିବାକୁ ଚାହୁଁ ନାହାନ୍ତି ବୋଲି ପୁନାୱାଲା କହିଛନ୍ତି ।

ତେବେ ତାଙ୍କର ଏହି ସାକ୍ଷାତକାର ପ୍ରକାଶ ପାଇବାର କିଛି ଘଣ୍ଟା ପରେ ପୁନାୱାଲା ଟ୍ୱିଟ୍ କରି କହିଥିଲେ ଯେ, ସେ ଖୁବ୍ ଶୀଘ୍ର ଭାରତ ଫେରିବେ । ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ଲାଣ୍ଟରେ ଟିକା ଉତ୍ପାଦନର ସେ ସମୀକ୍ଷା କରିବେ । ଟିକା ଉତ୍ପାଦନକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି ।