କୃଷି ଆଇନ ବିରୋଧରେ ଆଜି ଚାଷୀଙ୍କ ରେଳରୋକ ଆନ୍ଦୋଳନ | News Room Odisha

କୃଷି ଆଇନ ବିରୋଧରେ ଆଜି ଚାଷୀଙ୍କ ରେଳରୋକ ଆନ୍ଦୋଳନ

ନୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଚାଷୀମାନେ ଆଜି ମଧ୍ୟାହ୍ନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ଚାରି ଘଣ୍ଟିଆ ରେଳରୋକ୍‌ ଆନ୍ଦୋଳନ କରିବେ । ଏହି ଆନ୍ଦୋଳନରେ ଦେଶର ବହୁ ସଂଖ୍ୟକ ଚାଷୀ ଭାଗନେବେ । ସ୍ଥିତିକୁ ଅତ୍ୟନ୍ତ ଗମ୍ଭୀରଜନକ ମନେ କରି ରେଳବାଇ ପକ୍ଷରୁ ଗୁରୁବାର କେତେକ ଟ୍ରେନ୍‌ ଚଳାଚଳ ବାତିଲ୍‌ କରିବାକୁ ଯୋଜନା କରାଯାଇଥିବା ବେଳେ ଆଉ କେତେକ ରେଳର ଗତିପଥର ବଦଳାଇବାକୁ ଯୋଜନା କରାଯାଇଛି । ମୁଖ୍ୟତଃ ପଞ୍ଜାବରେ ଏହି ଆନ୍ଦୋଳନ ସମୟରେ କୌଣସି ଟ୍ରେନ୍‌ ଚଳାଚଳ ହୋଇପାରିବ ନାହିଁ । ବୁଧବାର ଦିନ ପଞ୍ଜାବରୁ ଛାଡୁଥିବା ଦରଭଙ୍ଗା-ଅମୃତସର ସ୍ୱତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବୁଧବାର ବାତିଲ୍‌ କରାଗଲା ବୋଲି ଉତ୍ତର ରେଳବାଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ଜଣାପଡିଛି । ସୂଚନା ଯେ ସେପ୍ଟେମ୍ବର ଶେଷ ବେଳକୁ ଚାଷୀମାନେ ଯେଉଁ ରେଳ ରୋକ୍‌ ଧାରଣା କରିଥିଲେ, ତାହା ନଭେମ୍ବରରେ ପ୍ରତ୍ୟାହାର କରାଯାଇଥିଲା । ଏହା ପରେ ପରେ ଅମୃତସର ଜିଲ୍ଲାର ଜାଣ୍ଡିଆଲାଗୁରୁ ଠାରେ କିଷାନ ମଜଦୁର ସଂଘର୍ଷ କମିଟି ପକ୍ଷରୁ ବିଭିନ୍ନ ପାସେଞ୍ଜର ଟ୍ରେନ୍‌କୁ ମଧ୍ୟ ବନ୍ଦ କରାଯାଇଥିଲା । ତେବେ ଉକ୍ତ ଅଞ୍ଚଳରେ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ କରୁଥିଲା । ଆଜି ହେଉଥିବା ରେଳରୋକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ନାଣ୍ଡେଡ୍‌-ଅମୃତସର ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି । କର୍ବା-ଅମୃତସର ଏକ୍ସପ୍ରେସ୍‌ ଅମ୍ବାଲା ପର୍ଯ୍ୟନ୍ତ ଯାତ୍ରା କରିବା ପରେ ତାହା ସେଠାରେ ଅଟକି ରହିବ । ଅମ୍ବାଲା ଠାରୁ ଯାତ୍ରା କରୁଥିବା ଅମୃତସର-କର୍ବା ଟ୍ରେନ୍‌ ମଧ୍ୟ ବାତିଲ୍‌ ଘୋଷଣା କରାଯାଇଛି । କୃଷି ବିଲ ବିରୋଧରେ ଆନ୍ଦୋଳନ କ୍ରମରେ ଗୁରୁବାର ଭାରତୀୟ କିଶାନ ୟୁନିୟନ(ବିକେୟୁ) ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ କରିବାକୁ ଯାଉଛି । ବିକେୟୁ ମୁଖପାତ୍ର ରାକେଶ ଟିକାଏତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ହେବାକୁ ଥିବା ରେଳ ରୋକ ଆନ୍ଦୋଳନରୁ କୌଣସି ରାଜ୍ୟକୁ ବାଦ ଦିଆଯାଇନାହିଁ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ହୋଇଥିବା ଚକା ଜାମ୍‌ ଆନ୍ଦୋଳନ ବେଳେ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ବାଦ ଦିଆଯାଇଥିଲା ।