କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ, ପ୍ରଭାବିତ ହେବ ସାଧାରଣ ଜୀବନଯାତ୍ରା | News Room Odisha

କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ, ପ୍ରଭାବିତ ହେବ ସାଧାରଣ ଜୀବନଯାତ୍ରା

ନୂଆଦିଲ୍ଲୀ – ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ମାନଙ୍କ ତରଫରୁ ଶୁକ୍ରବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଚାଷୀମାନଙ୍କ ଏହି ବନ୍ଦ ଡାକରାକୁ ଅନେକ ଦଳ ସମର୍ଥନ ଜଣାଇଛନ୍ତି ।

ଭାରତ ବନ୍ଦ ଦ୍ୱାରା ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସମ୍ଭାବନା ରହିଛି । ଅପ୍ରୀତିକର ଘଟଣା ଏଡାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ମାନଙ୍କ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାରା ଦେଶରେ ରେଳ ଓ ସଡ଼କ ପରିବହନ ସେବା ବାଧାପ୍ରାପ୍ତ ହୋଇପାରେ । ଶିକ୍ଷାନୁଷ୍ଠାନ ସହ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ବ୍ୟାଙ୍କ ସେବା ଉପରେ ବି ଭାରତ ବନ୍ଦର ପ୍ରଭାବ ଅନୁଭୂତ ହେବା ସମ୍ଭାବନା ରହିଛି ।

‘ଭାରତ ବନ୍ଦ’କୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ତରଫରୁ ଦେଶବାସୀଙ୍କୁ ଅପିଲ କରାଯାଇଛି । କେଏସ୍‌ଏମ୍ ତରଫରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଏହି ସମୟରେ ସବୁ ଦୋକାନ, ମଲ୍‌, ବଜାର ବନ୍ଦ ରହିବ । ସଡ଼କପଥ ଓ ଟ୍ରେନ୍ ଟ୍ରାକ୍ ଅବରୋଧ କରାଯିବ । ତେବେ ଆମ୍ବୁଲାନ୍ସ, ଅଗ୍ନଶମ ଭଳି ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ରାଜଧାନୀ ନଗରୀ ଦିଲ୍ଳୀରେ ବି ଭାରତ ବନ୍ଦର ପ୍ରଭାବ ରହିବ । ଶାନ୍ତି ପୂର୍ବକ ଏହି ବନ୍ଦ ପାଳନ କରିବାକୁ ଏସ୍‌କେଏମ୍ ତରଫରୁ ଦେଶବାସୀଙ୍କୁ ଅନୁରୋଧ କରାଯାଇଛି ।

ଚାଷୀଙ୍କ ଦ୍ୱାରା ଦିଆଯାଇଥିବ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମେତ ସିପିଆଇଏମ୍ ଏବଂ ଅନେକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି ।