କୋଇଲା ଦୁର୍ନୀତି ମାମଲା: ମମତାଙ୍କ ପୁତୁରା ବୋହୂଙ୍କୁ ସିବିଆଇର ଜେରା | News Room Odisha

କୋଇଲା ଦୁର୍ନୀତି ମାମଲା: ମମତାଙ୍କ ପୁତୁରା ବୋହୂଙ୍କୁ ସିବିଆଇର ଜେରା

କୋଲକାତା – କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ଋଜିରାଙ୍କୁ ଜେରା କରିିଛି । ଋଜିରାଙ୍କୁ ସିବିଆଇ ପ୍ରାୟ ଅଢ଼େଇ ଘଣ୍ଟା ଧରି ପଚରା ଉଚରା କରିଥିଲା । କୋଇଲା ମାଫିଆଙ୍କ ସହ ଟଙ୍କା କାରବାର ଠାରୁ ଆରମ୍ଭ କରି ଅଚାନକ ସମ୍ପତ୍ତି ବୃଦ୍ଧି ନେଇ ଋଜିରାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା ସିବିଆଇ ଟିମ୍ । ସିବିଆଇର ଜେରା ବେଳେ ଋଜିରାଙ୍କ ସହ ତାଙ୍କ ସ୍ୱାମୀ ଅଭିଷେକ ବାନାର୍ଜୀ ଉପସ୍ଥିତ ଥିଲେ ।

ସିବିଆଇ ଅଧିକାରୀ ପହଞ୍ଚିବା ପୂର୍ବରୁ ମମତା ତାଙ୍କ ପୁତୁରା ଘରକୁ ଯାଇ ଅଭିଷେକ ଓ ଋଜିରାଙ୍କୁ ଭେଟିଥିଲେ । ସେଠାରେ ମମତା ପ୍ରାୟ ୧୦ ମିନିଟ ରହିଥିଲେ ଏବଂ ଫେରିବା ବେଳେ ତାଙ୍କର ୮ ବର୍ଷର ନାତୁଣୀକୁ ସାଙ୍ଗରେ ନେଇ ଆସିଥିଲେ । ସିବିଆଇର ଜେରା ବେଳେ ମମତାଙ୍କ ନାତୁଣୀ ସେଠାରେ ରହୁ ବୋଲି ସେ ଚାହୁଁନଥିଲେ ।

ପୂର୍ବରୁ ସିବିଆଇ କୋଇଲା ଦୁର୍ନୀତି ମାମଲାରେ ସୋମବାର ଅଭିଷେକଙ୍କ ଶାଳୀ ମେନକା ଗମ୍ଭୀରଙ୍କୁ ମଧ୍ୟ ତିନି ଘଣ୍ଟା ଜେରା କରିଥିଲା । ଏହି ମାମଲାରେ ଅଭିଷେକଙ୍କ ଅନେକ ବନ୍ଧୁ ମଧ୍ୟ ସିବିଆଇ ରାଡାର୍‌ରେ ଅଛନ୍ତି ।