କୋଭିଡ୍ ଲଢେ଼ଇ ପାଇଁ ଭାରତକୁ ୧୧୦ କୋଟି ଦାନ କଲା ଟ୍ବିଟର୍ | News Room Odisha

କୋଭିଡ୍ ଲଢେ଼ଇ ପାଇଁ ଭାରତକୁ ୧୧୦ କୋଟି ଦାନ କଲା ଟ୍ବିଟର୍

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଅନିୟନ୍ତ୍ରିତ ଗତିରେ ବୃଦ୍ଧି ପାଉଛି । ଏଭଳି ସଙ୍ଗୀନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ମଧ୍ୟ ଭାରତକୁ ୧୫ ମିଲିୟନ୍ ଡଲାର (ପ୍ରାୟ ୧୧୦ କୋଟି) ସହାୟତା ରାଶି ପ୍ରଦାନ କରିଛି। ଭାରତ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀର ସମ୍ମୁଖୀନ ହୋଇଛି | ଭାରତକୁ ସାହାଯ୍ୟ ପାଇଁ ଦୁନିଆର ଅନେକ ଦେଶ ଆଗେଇ ଆସିଛନ୍ତି |

ଟ୍ୱିଟର ସିଇଓ ଜ୍ୟାକ୍ ପାଟ୍ରିକ୍ ଡୋର୍ସି ସୋମବାର ଟ୍ୱିଟ୍ କରି କହିଛନ୍ତି ଯେ ଏହି ଅର୍ଥ ତିନିଟି ବେସରକାରୀ ସଂସ୍ଥା – କେୟାର, ଇଡ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ୟୁଏସକୁ ଦାନ କରାଯାଇଛି। କେୟାରକୁ ୧ ମିଲିୟନ ଡଲାର ଦିଆଯାଇଥିବାବେଳେ ଇଡ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ୟୁଏସକୁ ୨.୫ ମିଲିୟନ ଡଲାର ପ୍ରଦାନ କରାଯାଇଛି। ସାନ୍ ଫ୍ରାନ୍ସିସ୍କୋ ଭିତ୍ତିକ ଏହି କମ୍ପାନୀ ଏକ ବିବୃତ୍ତିରେ କହିଛି, “ସେବା ଇଣ୍ଟରନ୍ୟାସନାଲ ହେଉଛି ଏକ ହିନ୍ଦୁ, ବିଶ୍ୱାସ-ଆଧାରିତ, ଅଣ-ଲାଭକାରୀ ସ୍ବେଚ୍ଛାସେବୀ ସଂଗଠନ। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଏହି ଅର୍ଥ ପ୍ରଦାନ କରାଯାଉଛି। ଏହା ଭେଣ୍ଟିଲେଟର, ଶଯ୍ୟା ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଉପକରଣ କିଣିବା ପାଇଁ ବ୍ୟବହୃତ ହେଉଛି। ଏହି ସବୁ ଚିକିତ୍ସା ଉପକରଣଗୁଡିକ ସରକାରୀ ଡାକ୍ତରଖାନା, କୋଭିଡ -୧୯ କେୟାର ସେଣ୍ଟର ଏବଂ ଅନ୍ୟାନ୍ୟ ଡାକ୍ତରଖାନାରେ ବିତରଣ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି।

ଏହି କୋଭିଡ ସହାୟତା ପାଇଁ ସେବା ଇଣ୍ଟରନ୍ୟାସନାଲର ଉପାଧ୍ୟକ୍ଷ ସନ୍ଦୀପ ଖଡକେକର ଟ୍ୱିଟର ସିଇଓ ଡୋର୍ସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।