ଗିନିଜ୍ ରେକର୍ଡସ୍ ଲକ୍ଷ୍ୟରେ କୋରାପୁଟର ହିଟ୍ସ ମ୍ୟାନ୍ | News Room Odisha

ଗିନିଜ୍ ରେକର୍ଡସ୍ ଲକ୍ଷ୍ୟରେ କୋରାପୁଟର ହିଟ୍ସ ମ୍ୟାନ୍

ସେ କୋରାପୁଟର ହିଟ୍ସମ୍ୟାନ୍‌ ଭାବେ ପରିଚିତ। ଗୋଟିଏ ହାତରେ ସେ ଏକକାଳୀନ ୧୫୦ ଥର ଗୋଡ଼ ଉପରକୁ ଛାଟିବା ଦକ୍ଷତା ହାସଲ କରି ସାରିଲେଣି। ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ସେ ଏକାଥରକେ ୧୭୦ ହିଟ୍ସ ମାରିବେ । ଏଯାବତ୍ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍, ଏସିଆ ବୁକ୍ ଅଫ୍ ରେକର୍ଡସରେ ନିଜ ନାମ ଲେଖାଇ ସାରିଛନ୍ତି କୋରାପୁଟର ରାଜେଶ କୁମାର ପରିଚ୍ଛା । କୋରାପୁଟ ଭଳି ଅପେକ୍ଷାକୃତ ଏକ ଛୋଟ ସହରର ଏହି ଯୁବକ ଏବେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ନିଜ ନାମକୁ ସାମିଲ କରି ଓଡ଼ିଶାକୁ ବିଶ୍ୱସ୍ତରରେ ଆଉ ଏକ ପରିଚୟ ଦେବା ଲକ୍ଷ୍ୟରେ ସାଧନାରତ।

ଗୋଟିଏ ହାତରେ ହିଟ୍ସ ମାରି ସେ ଜାତୀୟସ୍ତରରେ ସଫଳତା ହାସଲ କରିଛନ୍ତି । ଏବେ ବିଶ୍ୱସ୍ତରୀୟ ସ୍ବୀକୃତି ପାଇଁ ପ୍ରୟାସରତ ସେ । ଲକଡାଉନ୍ ହେତୁ ଅନୁଷ୍ଠିତ ଅନ୍-ଲାଇନ୍ ପ୍ରତିଯୋଗିତାରେ ରାଜେଶ ୩୦ ସେକଣ୍ଡରେ ଲଗାତର ୭୯ଟି ହିଟ୍ସ ମାରିଥିଲେ । ଦୁଇ ଦୁଇ ଥର ଏହି ସଫଳତାକୁ ହାତେଇ ସେ ଯଥାକ୍ରମେ ଗତବର୍ଷ ଏପ୍ରିଲ ମାସରେ ଆଉ ଚଳିତ ବର୍ଷ ମାର୍ଚ୍ଚ ମାସରେ ଯଥାକ୍ରମେ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ଏକାଥରକେ ୧୩୯ ହିଟ୍ସ ମାରିବା ରେକର୍ଡ ଅଛି। ତେବେ ରାଜେଶ ଏକ ମିନିଟ୍‌ରେ ୧୫୦ ପର୍ଯ୍ୟନ୍ତ ହିଟ୍ସ ମାରି ପାରୁଛନ୍ତି । ଏଣୁ ସେ ଗିନିଜ୍ ସଫଳତା ନେଇ ମଧ୍ୟ ଆଶାବାଦୀ । ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ନିଜ ପ୍ରତିଭା ସକାଶେ ଏହି ଯୁବକ ଜଣକ ଆବେଦନ କରିଛନ୍ତି।

ରାଜେଶ କହନ୍ତି ଯେଉଁ କେତେଜଣ ଓଡ଼ିଆ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି ସେମାନଙ୍କ ମଧ୍ୟରେ ମୁଁ ବି ସାମିଲ ହୋଇ ଆମ ରାଜ୍ୟର ସୁନାମକୁ ବିଶ୍ୱସ୍ତରରେ ସ୍ଥାପିତ କରିବା ମୋ ଲକ୍ଷ୍ୟ । ଓଡ଼ିଶାରେ ଯେ ପ୍ରତିଭା ଭରପୁର ରହିଛି ତାହା ସମସ୍ତଙ୍କୁ ଜଣାଇବାର ଅଛି । ସ୍ୱର୍ଗତ ଦେବେନ୍ଦ୍ରନାଥ ପରିଚ୍ଛାଙ୍କ ପୁଅ ରାଜେଶ ୧୧ ବର୍ଷ ପୂର୍ବେ ନୃତ୍ୟରେ କିଛି ନୂଆ କରି ଦେଖାଇବା ଉଦ୍ଦେଶ୍ୟରେ ଦୁଇଟି ହାତ ଉପରେ ଭରା ଦେଇ, ଗୋଡ଼ ଉପରକୁ ରଖି ଅଭ୍ୟାସ ଆରମ୍ଭ କରିଥିଲେ। ଆଉ ଏବେ ସେ ହିଟ୍‌ସମ୍ୟାନ୍‌ ଭାବେ ପରିଚିତ ହୋଇସାରିଲେଣି । ରାଜେଶ କୋରାପୁଟ ମ୍ୟୁନିସିପାଲ୍ ଜିମ୍ନାସିୟମରେ ଅଭ୍ୟାସ କରିବା ସହ ସ୍ଥାନୀୟ ଡ୍ୟାନ୍ସ ଏକାଡେମୀରେ ନୃତ୍ୟ ତାଲିମ ଦେଉଛନ୍ତି । ତାଙ୍କ ଭବିଷ୍ୟତ ସଫଳ ହେଉ ବୋଲି କାମନା କରିଛନ୍ତି ତାଙ୍କ କୋଚ୍ ସୀମାଞ୍ଚଳ ମିଶ୍ର, ଜିମ୍ନାସିୟମ୍ ସଭାପତି ଭବାନୀଶଙ୍କର ମିଶ୍ର ।