ଚତୁର୍ଥ ଟେଷ୍ଟରେ ଭାରତ ଇନିଂସ୍ ଓ ୨୫ ରନରେ ବିଜୟୀ, ବିଶ୍ଵ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲକୁ ଉନ୍ନୀତ | News Room Odisha

ଚତୁର୍ଥ ଟେଷ୍ଟରେ ଭାରତ ଇନିଂସ୍ ଓ ୨୫ ରନରେ ବିଜୟୀ, ବିଶ୍ଵ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲକୁ ଉନ୍ନୀତ

ଅହମ୍ମଦାବାଦ – ଅହମ୍ମଦାବାଦରେ ଖେଳାଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତ ଏକ ଇନିଂସ ଓ ୨୫ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ସ୍ପିନରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଯିବା ପରେ ଟିମ୍ ଇଣ୍ଡିଆ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଲଗାତାର ତିନିଟି ଟେଷ୍ଟ ମ୍ୟାଚ୍ ଜିତି ସିରିଜକୁ ୩-୧ ରେ କବ୍ଜା କରିଛି । ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି । ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ ଲର୍ଡ୍ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବେ । ଏହି ମ୍ୟାଚ୍ ୧୮ ଜୁନ୍ ରେ ଖେଳାଯିବ ।

ଅହମ୍ମଦାବାଦରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଉତ୍କୃଷ୍ଟ ପିଚ୍ ସତ୍ତ୍ୱେ ଇଂଲଣ୍ଡ ଦଳ ୩ ଦିନରେ ମ୍ୟାଚ୍ ହାରିଯାଇଛି । ପୁଣିଥରେ ଅକ୍ଷର ପଟେଲ ଓ ଅଶ୍ୱିନ୍ ଯୋଡ଼ି ଇଂଲଣ୍ଡକୁ ଘାଇଲା କରିଥିଲେ । ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୪ ଟି ୱିକେଟ୍ ନେବା ପରେ ଅକ୍ଷର ପଟେଲ ଦ୍ୱିତୀୟ ଇନିଂସରେ ବି ୫ଟି ୱିକେଟ୍ ନେଇଛନ୍ତି । ଅଫ୍ ସ୍ପିନର ଅଶ୍ୱିନ ମଧ୍ୟ ଦ୍ୱିତୀୟ ଇନିଂସରେ ପାଞ୍ଚଟି ୱିକେଟ୍ ନେଇଛନ୍ତି ।

ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୭୫ ଓଭରରେ ମାତ୍ର ୨୦୫ ରନ୍ ସ୍କୋର କରିପାରିଥିଲା । ଏହା ପରେ ଭାରତ ପ୍ରଥମ ଇନିଂସରେ ୩୬୫ ରନ୍ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ପନ୍ତ ୧୦୧ ରନ୍ ସଂଗ୍ରହ କରିଥିଲେ କିନ୍ତୁ ଖେଳର ତୃତୀୟ ଦିନରେ ୱାଶିଂଟନ୍ ସୁନ୍ଦର ନିଜ ଶତକ ହାସଲ କରିପାରି ନଥିଲେ ଓ ସେ ୯୬ ରନରେ ଅପରାଜିତ ରହିଥିଲେ । ଅକ୍ଷର ପଟେଲ ମଧ୍ୟ ୪୩ ରନର ଇନିଂସ ଖେଳିଥିଲେ ।ଇଂଲଣ୍ଡର ଦ୍ୱିତୀୟ ଇନିଂସ ମଧ୍ୟ ନିରାଶାରେ ପରିପୂର୍ଣ୍ଣ ଥିଲା ଓ ଦଳ ୧୩୫ ରନ୍ କରି ଅଲଆଉଟ ହୋଇ ଯାଇଥିଲା ।