ଚତୁର୍ଥ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନ୍‌ରେ ଅଲ ଆଉଟ୍‌, ବାର୍ଷା ବାଧକ ପୂର୍ବରୁ ଭାରତ ୬୨/୨ | News Room Odisha

ଚତୁର୍ଥ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନ୍‌ରେ ଅଲ ଆଉଟ୍‌, ବାର୍ଷା ବାଧକ ପୂର୍ବରୁ ଭାରତ ୬୨/୨

ବ୍ରିସବେନ – ଅନିଭିଜ୍ଞ ବୋଲରଙ୍କ ପ୍ରଶଂସନୀୟ ପ୍ରଦର୍ଶନ ସହାୟତାରେ ଭାରତ ଏଠାରେ ଚାଲିଥିବା ସିରିଜ୍ ନିର୍ଣ୍ଣାୟକ ଚତୁର୍ଥ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆକୁ ୪୦୦ ରନ୍ ଭିତରେ ସୀମିତ ରଖିଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି । ଏହାର ଜବାବରେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦୁଇ ୱିକେଟ୍ ହରାଇ ୬୨ ରନ୍ କରିଛି । ବର୍ଷା ଯୋଗୁଁ ଦ୍ୱିତୀୟ ଦିବସର ଖେଳ ଧାର୍ଯ୍ୟ ସମୟର ବହୁ ଆଗରୁ ବନ୍ଦ ହୋଇଥିଲା । ଭାରତ ଦୁଇ ଓପନରଙ୍କ ୱିକେଟ୍ ହରାଇଛି । ଶୁବମନ ଗିଲ ୭ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲା ବେଳେ ରୋହିତ ଶର୍ମା ୪୪ ରନ୍‌ରେ ପ୍ୟାଭିଲିୟନ୍ ଫେରିଛନ୍ତି । ରୋହିତଙ୍କ ୱିକେଟ୍ ନେଇଛନ୍ତି ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଥିବା ଅଫ୍ ସ୍ପିନର ନାଥନ୍ ଲାୟନ୍ । ରୋହିତ କ୍ରିଜରେ ଜମି ଆସୁଥିବା ବେଳେ ଏକ ଖରାପ ସଟ୍ ଖେଳି ଲାୟନଙ୍କ ଶିକାର ହୋଇଥିଲେ । ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଅଧିନାୟକ ଅଜିଙ୍କ୍ୟ ରାହାଣେ ୨ ଓ ଚେତେଶ୍ୱରପ ପୂଜାରା ୮ ରନ୍ କରି ଅପରାଜିତ ଅଛନ୍ତି ।

ପୂର୍ବରୁ ଅଷ୍ଟ୍ରେଲିଆ ତାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୭୪/୫ରୁ ଖେଳ ଆରମ୍ଭ କରି ୩୬୯ ରନରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଆଜି ଅଷ୍ଟ୍ରେଲିଆ ତରଫରୁ ଅଧିନାୟକ ଟିମ୍ ପେନ୍ ୫୦ ରନ୍ କରିଥିବାବେଳେ କାମେରନ୍ ଗ୍ରୀନ ୪୭, ଲାୟନ୍ ୨୪ ରନ୍ କରିଥିଲେ । ଭାରତ ତରଫରୁ ଦୁଇ ଡେବୁଟାଣ୍ଟ୍ ଟି.ନଟରାଜନ ଓ ୱାଶିଂଟନ ସୁନ୍ଦର ଚମତ୍କାର ପ୍ରଦର୍ଶନ କରିଥିଲେ । ଉଭୟ ନଟରାଜନ ଓ ସୁନ୍ଦର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ଶାର୍ଦ୍ଦୁଲ ଠାକୁର ମଧ୍ୟ ତିନୋଟି ୱିକେଟ୍ ପାଇଥିଲେ ।

4th Test India Vs Australia