ଚାଷୀ ଆନ୍ଦୋଳନ: ଆଜି ଅନ୍ନଦାତାଙ୍କ ଅନଶନ | News Room Odisha

ଚାଷୀ ଆନ୍ଦୋଳନ: ଆଜି ଅନ୍ନଦାତାଙ୍କ ଅନଶନ

ନୂଆଦିଲ୍ଲୀ – କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀଙ୍କ ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି । କୃଷି ଆଇନ ନେଇ ଚାଷୀ ଓ କେନ୍ଦ୍ର ସରକାର ନିଜ ନିଜ ଆଭିମୁଖ୍ୟରେ ଅଟଳ ରହିଥିବା ବେଳେ ଏହି ଆନ୍ଦୋଳନ ଆହୁରି ଲମ୍ବିବା ନିଶ୍ଚିତ ହୋଇଛି । କୃଷକ ସଂଗଠନମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଦିଲ୍ଲୀର ବିଭିନ୍ନ ପ୍ରବେଶ ସୀମାରେ ଆନ୍ଦୋଳନ ଚଳାଇଥିବା ଅନ୍ନଦାତା ଆଜି ଦିନିକିଆ ଅନଶନ ଆରମ୍ଭ କରିଛନ୍ତି । ସକାଳ ୮ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଷୀମାନେ ଅନଶନରେ ବସିବେ । ଆନ୍ଦୋଳନକୁ ତୀବ୍ର କରିବା ଦିଗରେ ଏହା ପ୍ରଥମ ପଦପେକ୍ଷ ବୋଲି କୃଷକ ନେତା ଗୁରନାମ ସିଂହ କହିଛନ୍ତି ।

ଦେଶବ୍ୟାପୀ ସବୁ ଜିଲ୍ଲା ମୁଖ୍ୟାଳୟ ଆଗରେ ମଧ୍ୟ ଧାରଣା ଦିଆଯିବ । ଭାରତୀୟ କିଷାନ ୟୁନିୟନ ଦୋଆବାର ଅଧ୍ୟକ୍ଷ ମନଜୀତ କହିଛନ୍ତି ଯେ, ଅନଶନରେ ବସି ଆମେ ସରକାରଙ୍କୁ ଏହି ସନ୍ଦେଶ ଦେବାକୁ ଚାହୁଁଛୁ ଯେ, ଯେଉଁ ଅନ୍ନଦାତା ଦେଶର ପେଟ ଭରୁଛି, ଆଜି ସେମାନଙ୍କୁ ଭୁଲ ନୀତି ପାଇଁ ଭୋକରେ ରହିବାକୁ ପଡୁଛି ।

ସେପଟେ ହରିୟାଣା ଓ ପଞ୍ଜାବର ହଜାର ହଜାର ଚାଷୀ ଆନ୍ଦୋଳନରେ ସାମିଲ ହେବାକୁ ଆସିଛନ୍ତି । ଚାଷୀମାନଙ୍କୁ ଜାମିଆ ମିଲାଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ସମର୍ଥନ ଜଣାଇଛନ୍ତି । ବିଶ୍ୱବିଦ୍ୟାଳୟର ଏକ ଛାତ୍ର ଗୋଷ୍ଠୀ ଆଜି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହେବାକୁ ଦିଲ୍ଲୀ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଗାଜିୟାବାଦ-ଦିଲ୍ଲୀ ସୀମାରେ ଅଟକାଇଛି ।

Farmers' Protest