ଚାଷୀ ଆନ୍ଦୋଳନ: କୃଷକ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା! | News Room Odisha

ଚାଷୀ ଆନ୍ଦୋଳନ: କୃଷକ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା!

ନୂଆଦିଲ୍ଲୀ –କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଉଥିବା କୃଷକ ସଂଗଠନର କିଛି ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସୀଂଘୁ ସୀମାରେ ବିକ୍ଷୋଭ କରୁଥିବା କିଛି କୃଷକ ସଂଗଠନ । ସେମାନେ ଏଭଳି ଦାବି କରିଥିବା ଏକ ସନ୍ଦିଗ୍ଧ ଯୁବକଙ୍କୁ ଧରି ଗଣମାଧ୍ୟମ ଆଗରେ ହାଜର କରିଛନ୍ତି । ଧରାପଡିଥିବା ଯୁବକ ଜଣକ କହିଛି ଯେ, ଜାନୁୟାରୀ ୨୬ରେ ଚାଷୀମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ବେଳେ କିଛି କୃଷକ ନେତାଙ୍କୁ ହତ୍ୟା ଯୋଜନା ସହ ହିଂସାକାଣ୍ଡ ଘଟାଇବାକୁ ଷଡ଼ଯନ୍ତ୍ର ହୋଇଥିଲା । ସେମାନଙ୍କୁ ଚାରି ଜଣ କୃଷକ ନେତାଙ୍କୁ ହତ୍ୟା କରିବାକୁ କୁହାଯାଇଥିଲା । ଏହି ଚାରି କୃଷକ ନେତାଙ୍କ ଫଟୋ ମଧ୍ୟ ସେମାନଙ୍କୁ ଦିଆଯାଇଥଲା ବୋଲି ଉକ୍ତ ଯୁବକ ଜଣକ କହିଛି । ସେ ମଧ୍ୟ ପ୍ରଦୀପ ନାମକ ଜଣେ ପୋଲିସ କର୍ମଚାରୀଙ୍କ ନାମ ନେଇଛି । ସେହି ପୋଲିସ କର୍ମଚାରୀ ରାଇ ଥାନାର ଏସ୍‌ଏଚ୍‌ଓ ଏବଂ ସେ ଛଦ୍ମବେଶରେ ଚାଷୀଙ୍କ ଆନ୍ଦୋଳନ ସ୍ଥଳକୁ ଆସୁଥିଲେ ବୋଲି ସେ କହିଛି । କୃଷକ ସଂଗଠନ ସେହି ଯୁବକକୁ ଦିଲ୍ଲୀ ପୋଲିସରେ ଜିମା ଦେଇଛନ୍ତି ।

ଇତିମଧ୍ୟରେ କୃଷି ଆଇନକୁ ନେଇ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ୧୧ତମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିନା ଫଳାଫଳରେ ଶେଷ ହୋଇଛି । ଗତକାଲି ହୋଇଥିବା ଏହି ଆଲୋଚନାରେ ଚାଷୀମାନେ ଆଇନ ପ୍ରତ୍ୟାହାର ଦାବି ଦୋହରାଇଥିଲେ । ଆଇନକୁ ୧୮ ମାସ ସ୍ଥଗିତ ରଖିବା ପ୍ରସ୍ତାବ ଉପରେ ପୁନର୍ବିଚାର କରିବାକୁ ସରକାର ପୁଣି ଚାଷୀଙ୍କୁ କହିଥିଲେ । ତେବେ ଉଭୟ ପକ୍ଷ ମଧ୍ୟରେ ଆଉ ଆଲୋଚନା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷେ କୃଷକ ସଂଗଠନ ଜାନୁୟାରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ରହିଛନ୍ତି । ସେମାନେ ଦିଲ୍ଲୀର ଆଉଟର ରିଙ୍ଗ୍ ରୋଡରେ ଏହି ରାଲି ବାହାର କରିବେ ବୋଲି କହିଛନ୍ତି ।

Farmers' Protest