‘ଜୟ ଶ୍ରୀରାମ’ ନାରାରେ ରାଗିଲେ ମମତା, ଭାଷଣ ନ ଦେଇ ଫେରିଲେ | News Room Odisha

‘ଜୟ ଶ୍ରୀରାମ’ ନାରାରେ ରାଗିଲେ ମମତା, ଭାଷଣ ନ ଦେଇ ଫେରିଲେ

କୋଲକାତା – ନେତାଜୀ ସୁବାଷ ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜି ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ହାଇଡ୍ରାମା ଦେଖିବାକୁ ମିଳିଛି । ଦର୍ଶକଙ୍କ ‘ଜୟ ଶ୍ରୀରାମ’ ନାରାରେ ରାଗିଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବାକୁ ମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ ।

ନେତାଜୀଙ୍କ ଜନ୍ମଦିନକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ପାଇଁ ଏଠାରେ ଶନିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମମତାଙ୍କୁ ଯେତେବେଳେ ସମ୍ବୋଧନ କରିବାକୁ ଆମନ୍ତ୍ରଣ କରାଯାଇଥିଲା, ସେତେବେଳେ କିଛି ଦର୍ଶକ ‘ଜୟ ଶ୍ରୀରାମ’ ନାରାବାଜି କରିଥିଲେ । ଏଥିରେ ବିରକ୍ତ ପ୍ରକାଶ କରିଥିଲେ ମମତା । ଏଭଳି ଅପମାନ ଗ୍ରହଣୀୟ ନୁହେଁ । ଏହା ଏକ ରାଜନୈତିକ ନୁହେଁ ସରକାରୀ କାର୍ଯ୍ୟକ୍ରମ । ଏହା ସାଧାରଣ ଲୋକଙ୍କ ପାଇଁ ଆୟୋଜନ କରାଯାଇଛି । କୋଲକାତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୋର କୃତଜ୍ଞତା ଜଣାଉଛି । କିନ୍ତୁ ଏକ କାର୍ଯ୍ୟକ୍ରମକୁ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ଅପମାନିତ କରିବା ଠିକ୍ ନୁହେଁ । ମୁଁ ଆଉ କିଛି କହିବି ନାହିଁ । ଜୟ ହିନ୍ଦ୍‌, ଜୟ ବଙ୍ଗଳା ବୋଲି କହି ମମତା ସେଠାରୁ ଫେରି ଯାଇଥିଲେ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନେତାଜୀ ସୁବାଷ ବୋଷଙ୍କ ସ୍ମୃତିରେ ଏକ ମୁଦ୍ରା ଓ ଡାକ ଟିକଟ ଉନ୍ମୋଚିତ କରିଥିଲେ । ମୋଦି ଓ ମମତା ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ ବି ପରସ୍ପର ସହ କଥା ହୋଇନଥିଲେ ।