ଟିଏମ୍‌ସି ନେତାଙ୍କ ଘରୁ ମିଳିଲା ଇଭିଏମ୍‌, ପୋଲିଂ ଅଧିକାରୀ ନିଲମ୍ବିତ | News Room Odisha

ଟିଏମ୍‌ସି ନେତାଙ୍କ ଘରୁ ମିଳିଲା ଇଭିଏମ୍‌, ପୋଲିଂ ଅଧିକାରୀ ନିଲମ୍ବିତ

କୋଲକାତା – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ତେବେ ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ୍ ସହ ଭିଭିପାଟ୍ ମିଳିଛି । ଏହି ଘଟଣାରେ ସ୍ଥାନୀୟ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଟିଏମ୍‌ସି ନେତାଙ୍କ ଘରୁ ଜବତ ଇଭିଏମ୍ ଓ ଭିଭିପାଟ୍ ମତଦାନରେ ବ୍ୟବହାର କରାଯିବ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହାଓଡା ଜିଲ୍ଲା ଉଲୁବେରିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର ୧୭ର ପୋଲିଂ ଅଧିକାରୀ ତପନ ସରକାର ଗତକାଲି ତାଙ୍କ ସମ୍ପର୍କୀୟ ତଥା ଟିଏମ୍‌ସି ନେତା ଗୌତମ ଘୋଷଙ୍କ ଘରେ ରହିଥିଲେ । ସେଠାରେ ସେ ରାତ୍ରି ଯାପନ କରିଥିଲେ । ତପନ ତାଙ୍କ ସହ ଇଭିଏମ୍ ଓ ଭିଭିପାଟ୍ ମଧ୍ୟ ଗୌତମଙ୍କ ଘରକୁ ନେଇ ସେଠାରେ ରଖିଥିଲେ । ଗୌତମଙ୍କ ଘରୁ ଆଜି ଇଭିଏମ୍ ଓ ଭିଭିପାଟ୍ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନ ପାଇଁ ତପନଙ୍କୁ ନିଲମ୍ବିତ କରାଯଇଛି । ତାଙ୍କ ସୁରକ୍ଷା ଦାୟିତ୍ୱରେ ଯେଉଁ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା, ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।