ଟିକା ପାଇବେ ସାଧୁସନ୍ଥ ଓ ଭିକାରୀ | News Room Odisha

ଟିକା ପାଇବେ ସାଧୁସନ୍ଥ ଓ ଭିକାରୀ

ସାଧୁସନ୍ଥ, ଭିକାରୀ, ଗରିବଙ୍କୁ ଦିଆଯିବ ଟିକା। ସାର୍ବଜନୀନ ଟିକାକରଣ ଅଭିଯାନକୁ ସଫଳ କରିବା ସକାଶେ ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକା ଦେବା ପ୍ରକ୍ରିୟା ଜାରି ରଖିଛନ୍ତି । ପ୍ରଥମେ ବିଭିନ୍ନ ଶ୍ରେଣୀର କରୋନା ଯୋଦ୍ଧା, ଏହା ପରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ନାଗରିକଙ୍କୁ, ଏହା ପରେ ୪୫ ବର୍ଷରୁ ଅଧିକ ତଥା ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କୁ, ଆଉ ଚଳିତ ମାସରୁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଟିକାକରଣ ଆରମ୍ଭ ହୋଇଯାଇଛି । ତେବେ ଟିକାକରଣ କରିଆରେ ସମାଜରେ ଗୋଷ୍ଠୀଗତ ରୋଗ ପ୍ରତିରୋଧକ ଶକ୍ତି (ହର୍ଡ ଇମ୍ୟୁନିଟି) ସୃଷ୍ଟି ପାଇଁ ପଦକ୍ଷେପ ସ୍ବରୂପ ସରକାର ଏବେ ସାଧୁସନ୍ଥ, ଭିକାରୀଙ୍କୁ ମଧ୍ୟ ଟିକା ଦେବାକୁ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ସାଧାରଣତଃ ଏମାନଙ୍କ ଆଖପାଖ ଲୋକ ବା ସମ୍ପର୍କୀୟ କେହି ନଥାନ୍ତି । ନିଜସ୍ବ ମୁଣ୍ଡ ଗୁଞ୍ଜିବାକୁ ଛାତ ନଥାଏ କି ଦୁଇ ଓଳା ଖାଇବା ନେଇ ମଧ୍ୟ ଠିକଣା ନଥାଏ । ଏମାନେ ପରିଚୟପତ୍ର ବା ଅନ୍ୟ ସରକାରୀ କାଗଜପତ୍ର ପାଇବେ ବା କେଉଁଠାରୁ । ଯଦିଓ କିଛି ଜଣ ଏହାର ବ୍ୟବସ୍ଥା କରିଥାନ୍ତି, ତଥାପି ଟିକାକରଣ ପ୍ରକିୟାରୁ ନାନା କାରଣରୁ ଏମାନେ ବାଦ ପଡିବା ଆଶଙ୍କା କରାଯାଉଛି।

ଅପରପକ୍ଷରେ ମଠ ମନ୍ଦିରକୁ ବହୁ ଲୋକ ଆସନ୍ତି କିମ୍ବା ଭିକାରୀମାନେ ବିଭିନ୍ନ ସାହି ବସ୍ତି ବୁଲି ପ୍ରାୟ ସବୁ ଲୋକଙ୍କ ନିକଟକୁ ଯାଆନ୍ତି । ଏଣୁ ଏମାନଙ୍କୁ ଅଥବା ଏମାନଙ୍କ ଜରିଆରେ କରୋନା ସଂକ୍ରମଣ ଆଶଙ୍କା ରହିଥାଏ । ଏହାକୁ ପ୍ରତିହତ କରିବାକୁ, ସମାଜର ତଳସ୍ତରର ଅବହେଳିତ ଲୋକ ବି କରୋନା ମହାମାରୀ ବିରୋଧରେ ଲଢିବାକୁ ସୁଯୋଗ ପାଏ, ସେଥିପାଇଁ ସରକାର ଏବେ ଏମାନଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବିସ୍ତୃତ ଉପାୟ କରାଯାଉଛି ଓ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସରକାରଙ୍କ ସୂତ୍ରରୁ ପ୍ରକାଶ ।