ଟ୍ରାକ୍ଟର ରାଲି ହିଂସା: ଚାଷୀ ଆନ୍ଦୋଳନରୁ ଓହରିଲେ ଦୁଇ କୃଷକ ସଂଗଠନ | News Room Odisha

ଟ୍ରାକ୍ଟର ରାଲି ହିଂସା: ଚାଷୀ ଆନ୍ଦୋଳନରୁ ଓହରିଲେ ଦୁଇ କୃଷକ ସଂଗଠନ

ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାର ପ୍ରଭାବ ଏବେ କୃଷି ଆଇନ ବିରୋଧରେ ଚାଳିଥିବା ଚାଷୀ ଆନ୍ଦୋଳନ ଉପରେ ପଡିଛି । ଜାତୀୟ ରାଜଧାନୀରେ ଗତକାଲି ଘଟିଥିବା ହିଂସାକାଣ୍ଡର ଦିନକ ପରେ ଚାଷୀ ଆନ୍ଦୋଳନରୁ ଦୁଇ କୃଷକ ସଂଗଠନ ଓହରି ଯାଇଛନ୍ତି । ଏହି ଦୁଇ କୃଷକ ସଂଗଠନ ହେଉଛନ୍ତି ଭାରତୀୟ କିଷାନ ୟୁନିୟନ (ଭାନୁ) ଏବଂ ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ୱୟ କମିଟି ।

ଟ୍ରାକ୍ଟର ପରେଡ୍ ବେଳେ ରାଜଧାନୀରେ ଯାହା ଘଟିଲା, ସେଥିପାଇଁ ସେ ବେଶ୍ ମର୍ମାହତ । ଏହାର ପ୍ରତିବାଦ ସ୍ୱରୂପ ଆମେ କୃଷି ଆଇନ ବିରୋଧରେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଭାରତୀୟ କିଷାନ ୟୁନିୟନ(ଭାନୁ)ର ସଭାପତି ଠାକୁର ଭାନୁ ପ୍ରତାପ ସିଂହ କହିଛନ୍ତି । ଏହି କୃଷକ ସଂଗଠନ ଦିଲ୍ଲୀର ଚିଲ୍ଲା ସୀମାରେ କୃଷି ଆଇନ ବିରୋଧରେ ଗତ ଦୁଇମାସ ଧରି ବିକ୍ଷୋଭ କରୁଥିଲେ । ସେହିପରି ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ୱୟ କମିଟି ନେତା ଭିଏମ ସିଂହ ମଧ୍ୟ ଗତାକଲିର ବିଶୃଙ୍ଖଳା ପ୍ରତିବାଦରେ ଚାଷୀ ଆନ୍ଦୋଳନରୁ ଓହରିବାକୁ ଘୋଷଣା କରିଛନ୍ତି । ଭିନ୍ନ ଲକ୍ଷ୍ୟ ରଖିଥିବା ଲୋକଙ୍କ ସହ ଆମେ ଆନ୍ଦୋଳନ ଜାରି କରିପାରିବୁ ନାହିଁ ବୋଲି ସେ କହିଛନ୍ତି ।

କୃଷି ଆଇନ ବିରୋଧରେ ଗତକାଲି କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦେଶର ରାଜଧାନୀ ନଗରୀ ରଣକ୍ଷେତ୍ର ପାଲଟିଥିଲା । କୃଷକମାନେ ଆଇନ ଭାଙ୍ଗି ଦିଲ୍ଲୀ ଭିତରେ ପଶିଥିଲେ । ଅନେକ ସ୍ଥାନରେ ସେମାନେ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପଶିଥିଲେ । ଆଉ ଏକ ଗୋଷ୍ଠୀ ଲାଲ୍‌କିଲ୍ଲାରେ ବ୍ୟାପକ ଭଙ୍ଗାରୁଜା କରି ସେଠାରେ ନିଜ ଧର୍ମଝଣ୍ଡା ଉଡ଼ାଇଥିଲେ । ଅନେକ ସ୍ଥାନରେ ପୋଲିସଙ୍କ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ହୋଇଥିଲା । ଏହି ହିଂସାରେ ୯୦ରୁ ଅଧିକ ପୋଲିସ୍ କର୍ମୀ ଆହତ ହୋଇଛନ୍ତି । ଏହି ମାମଲାରେ ଦିଲ୍ଲୀ ପୋଲିସ୍ ଏନେଇ ୩୬ କୃଷକ ନେତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫାରେ ମାମଲା ରୁଜୁ କରିଛି ।