ଡିଜିପିଙ୍କ ରାଉରକେଲା, ଝାରସୁଗୁଡା ଓ ସମ୍ବଲପୁର ଗସ୍ତ, କୋରୋନା କଟକଣା କାର୍ଯ୍ୟକାରିତାର ସମୀକ୍ଷା | News Room Odisha

ଡିଜିପିଙ୍କ ରାଉରକେଲା, ଝାରସୁଗୁଡା ଓ ସମ୍ବଲପୁର ଗସ୍ତ, କୋରୋନା କଟକଣା କାର୍ଯ୍ୟକାରିତାର ସମୀକ୍ଷା

ଭୁବନେଶ୍ୱର- ପୋଲିସ ମହାନିର୍ଦ୍ଦେଶକ ଅଭୟ ରାଉରକେଲା, ଝାରସୁଗୁଡା ଓ ସମ୍ବଲପୁର ଗସ୍ତ କରି କୋରୋନା କଟକଣା କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି । ଏଥିସହ ସେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଲକଡାଉନ ସେଠାରେ କିପରି କାର୍ଯ୍ୟକାରୀ ହେବ, ସେ ନେଇ ବି ଆଲୋଚନା କରିଛନ୍ତି । ଅମାନିଆଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଲକଡାଉନ ଓ ସପ୍ତାହାନ୍ତ ସଟଡାଉନକୁ କଡାକଡି ଲାଗୁ କରିବା ସହ ସୀମାନ୍ତ ପୋଷ୍ଟଗୁଡିକରେ କଡାକଡି ଯାଂଚ କରି ଆନ୍ତଃରାଜ୍ୟ ଗତିବିଧି ଉପରେ ନଜର ରଖିବା ଉପରେ ପୋଲିସ ଡିଜି ସମୀକ୍ଷା କରିଥିଲେ ।

ଝାଡଖଣ୍ଡ ଓ ଛତିଶଗଡ ସହ ସୀମା ସିଲ୍ ବ୍ୟବସ୍ଥାର ସମୀକ୍ଷା ବି କରିଛନ୍ତି ଡିଜିପି । ସୁନ୍ଦରଗଡ ଓ ଝାରସୁଗୁଡାରେ ୪ ପ୍ଲାଟୁଲ ଲେଖାଏଁ , ରାଉରକେଲାରେ ୩ ପ୍ଲାଟୁନ ଓ ସମ୍ବଲପୁରରେ ୭ ପ୍ଲାଟୁନ ପୋଲିସ ନିୟୋଜିତ ହୋଇଥିବା ଡିଜିପି କହିଛନ୍ତି । ମେଡିକାଲ ଟିମ୍ ସହିତ ଜିଆରପି କର୍ମଚାରୀମାନେ ଟ୍ରେନରେ ଆସୁଥିବା ଆନ୍ତଃରାଜ୍ୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଂଚ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଅତିରିକ୍ତ ପୋଲିସ ଆଇଜି ( ଆଇନ ଶୃଙ୍ଖଳା ) ଯଶୱନ୍ତ ଜେଠୱା ମଧ୍ୟ ଡିଜିପିଙ୍କ ସହ ଗସ୍ତରେ ସାମିଲ ଥିଲେ ।