ଡିସେମ୍ବର ୧୦ ରେ ନୂତନ ସଂସଦ ଭବନର ଶିଳାନ୍ୟାସ ଓ ଭୂମିପୂଜନ କରିବେ ମୋଦି | News Room Odisha

ଡିସେମ୍ବର ୧୦ ରେ ନୂତନ ସଂସଦ ଭବନର ଶିଳାନ୍ୟାସ ଓ ଭୂମିପୂଜନ କରିବେ ମୋଦି

ନୂଆଦିଲ୍ଲୀ – ଡିସେମ୍ବର ୧୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ । ଶନିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି। ଶିଳାନ୍ୟାସ ସହ ଉକ୍ତ ଦିନ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନର ଭୁମି ପୂଜନ ମଧ୍ୟ କରିବେ। ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଚଳିତ ମାସରୁ ଆରମ୍ଭ ହେବ ଏବଂ ଏହା ଅକ୍ଟୋବର ୨୦୨୨ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି | ପ୍ରାୟ ୬୦ ହଜାର ବର୍ଗ ମିଟରରେ ନୂତନ ସଂସଦ ଭବନ ନିର୍ମାଣ ହେବ। ଏଥିରେ ସମସ୍ତ ସାଂସଦଙ୍କ ପାଇଁ ଅଲଗା କାର୍ଯ୍ୟାଳୟ ରହିବ ଏବଂ ଏହା ଅତ୍ୟାଧୁନିକ ଡିଜିଟାଲ୍ ଟେକ୍ନୋଲୋଜି ସହିତ ସଜ୍ଜିତ ହେବ ।

ସୂଚନାନୁସାରେ, ଏହାର ୧୬୯୨୧ ବର୍ଗ ମିଟର ବିଶିଷ୍ଟ ଏକ ଅଣ୍ଡରଗ୍ରାଉଣ୍ଡ ମଧ୍ୟ ରହିବ | ନୂଆ ସଂସଦ ଭବନ ୩ ମହଲା ବିଶିଷ୍ଟ ହେବ |
ବିଲ୍ଡିଂର ଡିଜାଇନ୍ ତ୍ରିକୋଣୀୟ ହେବ, ଯଦ୍ୱାରା ଆକାଶରୁ ଏହା ତିନୋଟି ରଙ୍ଗର ରଶ୍ମି ଭଳି ଦୃଶ୍ୟମାନ ହେବ । ସାଂସଦମାନଙ୍କର ବସିବା ବ୍ୟବସ୍ଥା ଆହୁରି ଅଧିକ ଆରାମଦାୟକ ହେବ। ଦୁଇ ସିଟର୍ ବେଞ୍ଚ ଉପଲବ୍ଧ ହେବ, ଅର୍ଥାତ୍ ଗୋଟିଏ ଟେବୁଲ ଉପରେ କେବଳ ଦୁଇଜଣ ସାଂସଦ ବସିପାରିବେ | ନୂତନ ସଂସଦ ଭବନରେ ଏକ ବୃହତ ସମ୍ବିଧାନ ହଲ୍, ସାଂସଦମାନଙ୍କ ପାଇଁ ଲାଉଞ୍ଜ, ଲାଇବ୍ରେରୀ, କମିଟି ରୁମ୍, ଡାଇନିଂ ଏରିଆ ଏବଂ ପାର୍କିଂ ସ୍ଥାନ ମଧ୍ୟ ରହିବ।