ଡେବ୍ୟୁରେ କୃଣାଳ ଓ କ୍ରିଷ୍ଣାଙ୍କ ଚମକ, ପ୍ରଥମ ଦିନିକିଆକୁ ୬୬ ରନରେ ଜିତିଲା ଭାରତ | News Room Odisha

ଡେବ୍ୟୁରେ କୃଣାଳ ଓ କ୍ରିଷ୍ଣାଙ୍କ ଚମକ, ପ୍ରଥମ ଦିନିକିଆକୁ ୬୬ ରନରେ ଜିତିଲା ଭାରତ

ପୁଣେ – ଡେବୁଟାଣ୍ଟ କୃଣାଳ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬୬ ରନରେ ହରାଇଛି । ଉଭୟ କୃଣାଳ ଓ କ୍ରିଷ୍ଣା ନିଜ ଡେବ୍ୟୁରେ ଚମକିଥିଲେ । ପଦାର୍ପଣ ମ୍ୟାଚରେ କୃଣାଳ ଏକ ଧୂଆଁଧାର ଅର୍ଦ୍ଧଶତକ ସହ ଗୋଟିଏ ୱିକେଟ ନେଇଥିବା ବେଳେ କ୍ରିଷ୍ଣା ମଧ୍ୟ ଡେବ୍ୟୁରେ ୪ଟି ୱିକେଟ୍ ହାସଲ କରିଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୧୭ ରନର ଚାଲେଞ୍ଜିଂ ସ୍କୋର କରିଥିଲା । ଦଳ ତରଫରୁ କୃଣାଳଙ୍କ ସହ ଧାୱନ, ଅଧିନାୟକ କୋହଲି ଓ କେଏଲ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ପ୍ରଦତ୍ତ ୩୧୮ ରନର ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ବିସ୍ଫୋରକ ଆରମ୍ଭ କରିଥିଲେ ମଧ୍ୟ ୪୨.୧ ଓଭରରେ ୨୫୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ତରଫରୁ ଡେବୁଟାଣ୍ଟ୍ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ୩ଟି ୱିକେଟ୍ ହାସଲ କରିଥିଲେ । ଭୁବନେଶ୍ୱର କୁମାର ୨ଟି ଏବଂ କୃଣାଳ ଗୋଟିଏ ୱିକେଟ୍ ନେଇଥିଲେ । ୯୮ ରନର ଇନିଂସ ଖେଳିଥିବା ଧାୱନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୨୬ରେ ପୁଣେରେ ହିଁ ଖେଳାଯିବ ।

ଭାରତ ପ୍ରଦତ୍ତ ୩୧୮ ରନର ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡକୁ ଦ୍ରୁତ ଷ୍ଟାର୍ଟ ଦେଇଥିଲେ ଜନି ବେୟାରଷ୍ଟୋ (୯୪) ଏବଂ ଜାସନ ରୟ (୪୬) । ଏ ଦୁହେଁ ପ୍ରଥମ ୱିକେଟର ମାତ୍ର ୮୬ ବଲରେ ୧୩୫ ରନ ଯୋଗକରି ଭାରତକୁ ଚାପରେ ରଖିଥିଲେ । ଶେଷରେ ରୟଙ୍କୁ ଆଉଟ୍ କରି ଡେବୁଟାଣ୍ଟ କ୍ରିଷ୍ଣା ଏହି ବିପଜ୍ଜନକ ଭାଗିଦାରୀ ଭାଙ୍ଗିଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିବା ବେନ୍ ଷ୍ଟୋକ୍ସ(୧)ଙ୍କୁ ମଧ୍ୟ କ୍ରିଷ୍ଣା ପ୍ୟାଭିଲିୟନ୍ ଫେରାଇଥିଲେ । ପରେ ଶାର୍ଦ୍ଦୁଲ ଠାକୁର ୨୫ତମ ଓଭରରେ ଉଭୟ ବେୟାରଷ୍ଟୋ ଓ ଇୟନ ମୋର୍ଗାନ (୨୨)ଙ୍କୁ ଆଉଟ୍ କରି ଇଂଲଣ୍ଡକୁ ବଡ଼ ଝଟକା ଦେଇଥିଲେ । ନିଜର ପରବର୍ତ୍ତୀ ଓଭରରେ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଜୋସ ବଟଲର (୨)ଙ୍କୁ ମଧ୍ୟ ଠାକୁର ନିଜ ଶିକାର ବନାଇ ଭାରତ ପାଇଁ ବିଜୟ ପଥ ପରିଷ୍କାର କରିଦେଇଥିଲେ ।

ପୂର୍ବରୁ ଇଂଲଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଧାୱନ (୯୮) ଓ ରୋହିତ ଶର୍ମା (୨୮) ଭାରତକୁ ଏକ ଦୃଢ଼ ଷ୍ଟାର୍ଟ ଦେଇ ପ୍ରଥମ ୱିକେଟର ୬୪ ରନ୍ ଯୋଗ କରିଥିଲେ । ରୋହିତଙ୍କ ୱିକେଟ୍ ପରେ ଅଧିନାୟକ କୋହଲି, ଧାୱନଙ୍କ ସହ ମିଶି ସ୍କୋରକୁ ଆଗେଇ ନେଇଥିଲେ । କୋହଲି ୬୦ ବଲରେ ୬ଟି ଚୌକା ସହ ୫୬ ରନ୍ କରିଥିଲେ । ତେବେ ଭାରତ ୩୩ ରନ୍ ମଧ୍ୟରେ ଧାୱନ, କୋହଲି, ଶ୍ରେୟାସ (୬) ଓ ହାର୍ଦ୍ଦିକ (୧)ଙ୍କ ୱିକେଟ୍ ହରାଇଥିଲା । ଭାରତ ୨୦୫ ରନରେ ହଠାତ୍ ୫ ୱିକେଟ୍ ହରାଇ ବ୍ୟାକ୍‌ଫୁଟକୁ ଠେଲି ହୋଇଯାଇଥିଲା ବେଳେ କୃଣାଳ ଓ ରାହୁଲ ଷଷ୍ଠ ୱିକେଟରେ ଆକ୍ରମଣାତ୍ମକ ୧୧୨ ରନ ଯୋଗକରି ଭାରତକୁ ଏକ ଚାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ ।

କୃଣାଳ ମାତ୍ର ୩୧ ବଲରେ ୭ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୫୮ ରନ୍ କରିଥିଲେ । ସେ ୨୬ ବଲରେ ଅର୍ଦ୍ଧଶତକ ପୂରଣ କରି ବିଶ୍ୱରେକର୍ଡ ମଧ୍ୟ କରିଥିଲେ । ଜଣେ ଡେବୁଟାଣ୍ଟଙ୍କ ଦ୍ୱାରା ଏହା ହେଉଛି ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକ । ଏଥିସହ ସେ ନ୍ୟୁଜିଲାଣ୍ଡର ଜନ ମୋରିସ୍ (୩୧ ବଲ୍‌)ଙ୍କ ରେକର୍ଡ ଭାଙ୍ଗିଥିଲେ । ଟି୨୦ ସିରିଜରେ ଫର୍ମ ପାଇଁ ସଂଘର୍ଷ କରିଥିବା ରାହୁଲ ମଧ୍ୟ ଫର୍ମକୁ ଫେରି ୪୩ ବଲର ୪ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୬୨ ରନ୍ କରିଥିଲେ ।