ଡ୍ରୋନ୍ ଜରିଆରେ ଅସ୍ତ୍ର ପଠାଉଛି ପାକିସ୍ତାନ, ପଞ୍ଜାବ ସୀମାରୁ ୧୧ ପାକ୍ ନିର୍ମିତ ଗ୍ରେନେଡ୍ ଜବତ | News Room Odisha

ଡ୍ରୋନ୍ ଜରିଆରେ ଅସ୍ତ୍ର ପଠାଉଛି ପାକିସ୍ତାନ, ପଞ୍ଜାବ ସୀମାରୁ ୧୧ ପାକ୍ ନିର୍ମିତ ଗ୍ରେନେଡ୍ ଜବତ

ଚଣ୍ଡିଗଡ଼ – ଭାରତରେ ବଡ଼ ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନର ପୁଣି ଏକ ଯୋଜନା ପଣ୍ଡ ହୋଇଛି । ପାକିସ୍ତାନୀ ଡ୍ରୋନ୍ ଜରିଆରେ ପଞ୍ଜାବ ସଂଲଗ୍ନ ସୀମାରେ ପକାଯାଇଥିବା ୧୧ ଗ୍ରେନେଡ୍‌କୁ ସୋମବାର ପଞ୍ଜାବ ପୋଲିସ୍ ଜବତ କରିଛି । ପଞ୍ଜାବ ଗୁରୁଦାସପୁର ସଂଲଗ୍ନ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଏକ ଚାଷଜମିରେ ଏହି ଗ୍ରେନେଡ୍ ମିଳିଥିଲା । ଏହି ସବୁ ଗ୍ରେନେଡକୁ ଭଲ ଭାବେ ପ୍ୟାକ୍ କରାଯାଇଥିଲା । ଏଥିରେ ପାକିସ୍ତାନର ଏକ ଅସ୍ତ୍ର କାରଖାନାର ଲୋଗୋ ଓ ଠିକଣା ଥିଲା । ଏହି ମାମଲାରେ ପୋଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା କରିଥିଲା । ହେଲେ ଏଥିରେ ସେମାନଙ୍କ କୌଣସି ଭୂମିକା ନଥିବା ଜଣାପଡିବା ପରେ ଉଭୟଙ୍କୁ ପୋଲିସ ଛାଡ଼ିଦେଇଛି । ଗତ ଡିସେମ୍ବର ୧୯ରେ ରାତି ପ୍ରାୟ ୧୧ଟା ୩୦ ମିନିଟରେ ପାକ୍‌-ପଞ୍ଜାବ ସୀମାରେ ଡ୍ରୋନ ବୁଲୁଥିବା ଶବ୍ଦ ଶୁଣାଯିବା ପରେ ସେଠାରେ ମୁତୟନ ବିଏସଏଫ୍‌ର ୫୮ ବାଟାଲିୟନ୍ ଯବାନ ମାନେ ୧୮ ରାଉଣ୍ଡ ଫାୟରିଂ କରିଥିଲେ । ଏହାପରେ ଡ୍ରୋନଟି ପାକିସ୍ତାନ ଆଡକୁ ଫେରି ଯାଇଥିଲା । ବିଏସ୍‌ଏଫ୍‌, ପଞ୍ଜାବ ପୋଲିସ ଓ ଅନ୍ୟ ସୁରକ୍ଷା ସଂସ୍ଥାର ମିଳିତ ସର୍ଚ୍ଚ ଅପରେସନ୍ ପରେ ଉକ୍ତ ଅଞ୍ଚଳରୁ ୧୧ ପାକ୍ ନିର୍ମିତ ଗ୍ରେନେଡ୍ ମିଳିଥିଲା । ଶୀତ ଓ ଘନ କୁହୁଡ଼ିର ଫାଇଦା ଉଠାଇ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ପଠାଉଛି ବୋଲି ପଞ୍ଜାବ ପୋଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ।