ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କୋଭିଡ୍‌-୧୯ ଔଷଧ ବିତରଣ ପାଇଁ ଗୌତମ ଗମ୍ଭୀରଙ୍କୁ ଲାଇସେନ୍ସ ମିଳିଛି କି? | News Room Odisha

ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କୋଭିଡ୍‌-୧୯ ଔଷଧ ବିତରଣ ପାଇଁ ଗୌତମ ଗମ୍ଭୀରଙ୍କୁ ଲାଇସେନ୍ସ ମିଳିଛି କି?

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତି ଉପରେ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ସମ୍ପର୍କରେ ପୁଣି ଉଲ୍ଳେଖ କରିଛନ୍ତି । ଗମ୍ଭୀର ଏତେ ପରିମାଣରେ କୋଭିଡ୍‌-୧୯ ଔଷଧ କିପରି ରଖିଛନ୍ତି ? ଏହି ସବୁ ଔଷଧ ଏତେ ପରିମାଣରେ କିଣିବା ଓ ବିତରଣ ପାଇଁ ତାଙ୍କୁ ଲାଇସେନ୍ସ ମିଳିଛି କି ବୋଲି ଜଷ୍ଟିସ୍ ବିପିନ ସାଙ୍ଘୀ ଏବଂ ରେଖା ପାଲ୍ଲିଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।

ହାଇକୋର୍ଟ ପଚାରିଛନ୍ତି – ଜଣେ ବ୍ୟକ୍ତି (ଗମ୍ଭୀର)ଙ୍କୁ ଏତେ ପରିମାଣର ଔଷଧ ବିତରଣ ପାଇଁ କିପରି ଅନୁମତି ଦିଆଯାଇ ପାରୁଛି । ଏଥିପାଇଁ ତାଙ୍କ ପାଖରେ ଲାଇସେନ୍ସ ଅଛି କି? ଗମ୍ଭୀର ଯେଉଁ ଔଷଧ ବାଣ୍ଟୁଛନ୍ତି, ତାହା ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ରୋଗୀଙ୍କୁ ଦିଆଯିବା କଥା । ଗଣମାଧ୍ୟମରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ଔଷଧର ବିତରଣ ବନ୍ଦ ହୋଇଯାଇଥିବ ବୋଲି ଆମେ ଆଶା କରିଥିଲୁ । କିନ୍ତୁ ଗମ୍ଭୀର ଏବେ ବି ଏହି ସବୁ ଔଷଧ ଗୁଡିକର ବିତରଣ ଜାରି ରଖିଥିବାରୁ ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଦିଲ୍ଲୀ ସରକାରଙ୍କ ଓକିଲ ମଧ୍ୟ ଗମ୍ଭୀରଙ୍କ ଏଭଳି ମାଗଣା ଔଷଧ ବଣ୍ଟନ ନିଷ୍ପତ୍ତିକୁ ଦାୟିତ୍ୱହୀନତା ରୂପେ ଅଭିହିତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ଦିଲ୍ଲୀରୁ ସାଂସଦ ଥିବା ଗମ୍ଭୀର ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ମାଗଣାରେ ‘ଫାବିଫ୍ଲୁ’ ଔଷଧ ବାଣ୍ଟୁଛନ୍ତି । ଏହି ଔଷଧ ପାଇଁ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ଠାରୁ ପରାମର୍ଶ ନେବା ଉଚିତ । ଏଭଳି ସ୍ଥଳେ ଗମ୍ଭୀର କିପରି ଏହି ଔଷଧକୁ ମାଗଣା ବାଣ୍ଟୁଛନ୍ତି ବୋଲି ପ୍ରଶ୍ନ ଉଠିଥିଲା ।

ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ କୋଭିଡ୍ ମାମଲାର ଶୁଣାଣି ଚାଲିଥିବା ବେଳେ ଗମ୍ଭୀରଙ୍କ ଏଭଳି ମାଗଣା ଔଷଧ ବଣ୍ଟନ ପ୍ରସଙ୍ଗ ଉଠିଥିଲା । ଦିଲ୍ଲୀ ସରକାରଙ୍କ ଓକିଲ କୋର୍ଟଙ୍କୁ କହିଥିଲେ, ଜଣେ ନେତା (ଗମ୍ଭୀର) ପୂର୍ବ ଦିଲ୍ଲୀରେ ଲୋକଙ୍କୁ ମାଗଣାରେ ‘ଫାବିଫ୍ଲୁ’ ଔଷଧ ବାଣ୍ଟୁଛନ୍ତି । ସେ ଏତେ ପରିମାଣରେ ‘ଫାବିପ୍ଲୁ’ କେଉଁଠାରୁ ଆଣୁଛନ୍ତି ତାହା ମୁଁ ବି ଜାଣିପାରୁନି ।