ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କଲେ ଜଷ୍ଟିସ୍ ଏନ.ଭି ରମନ୍ନା | News Room Odisha

ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କଲେ ଜଷ୍ଟିସ୍ ଏନ.ଭି ରମନ୍ନା

ନୂଆଦିଲ୍ଲୀ: ଜଷ୍ଟିସ୍ ଏନ.ଭି ରମନ୍ନା ଦେଶର ୪୮ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ତାଙ୍କୁ ଶପଥ ପାଠ କରାଇଥିଲେ। ଏସ୍ଏ ବୋବଡେଙ୍କ ସ୍ଥାନ ନେଇଛନ୍ତି ଜଷ୍ଟିସ୍ ରମନ୍ନା । ଜଷ୍ଟିସ୍ ବୋବଡେ ଗତକାଲି (ଏପ୍ରିଲ ୨୩) ଅବସର ଗ୍ରହଣ କରିଥିଲେ । ବୋବଡେ ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ରମନ୍ନାଙ୍କ ନାମ ସୁପାରିସ କରିଥିଲେ ।

ଜଷ୍ଟିସ୍ ରମନ୍ନା ୨୭ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପୋନ୍ନାଭାରାମ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୦ ଫେବୃଆରୀ ୧୯୮୩ ରେ ସେ ଓକିଲାତି ଆରମ୍ଭ କରିଥିଲେ। ୨୭ ଜୁନ୍ ୨୦୦୦ରେ ସେ ଆନ୍ଧ୍ରପ୍ରଦେଶର ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଫେବୃଆରୀ ୨୦୧୪ରେ ଜଷ୍ଟିସ୍ ରମନ୍ନା ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସେ ୧୦ ଫେବୃଆରୀ ୧୯୮୩ରେ ଓକିଲାତି ସହିତ ନିଜର ଆଇନ କ୍ୟାରିଅର୍ ଆରମ୍ଭ କରିଥିଲେ |