ନିର୍ବାଚନ କମିଶନଙ୍କ ଉପରେ ମାଡ୍ରାସ୍ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ | News Room Odisha

ନିର୍ବାଚନ କମିଶନଙ୍କ ଉପରେ ମାଡ୍ରାସ୍ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ବିରୋଧରେ ମାଡ୍ରାସ୍ ହାଇକୋର୍ଟ କରିଥିବା କଡ଼ା ଟିପ୍ପଣୀକୁ ସୁପ୍ରିମକୋର୍ଟ କଠୋର ଏବଂ ଅନୁଚିତ ବୋଲି କହିଛନ୍ତି । ତେବେ ଏହି ଟିପ୍ପଣୀକୁ ରେକର୍ଡରୁ ହଟାଇବ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି ।

ଜଷ୍ଟିସ୍ ୱାଇ.ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଏମ୍‌ଆର୍ ଶାହଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, ମାଡ୍ରାସ୍ ହାଇକୋର୍ଟଙ୍କ ଟିପ୍ପଣୀ କଠୋର ଥିଲା । କିନ୍ତୁ ଏହାକୁ ପ୍ରକାଶ ନ କରିବା ପାଇଁ ଗଣମାଧ୍ୟମକୁ ବାରଣ କରିପାରିବୁ ନାହିଁ । ବିଚାରପତି ଓ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ସହ କୋର୍ଟ ଶୁଣାଣିର ଟିକିନିଖି ତଥ୍ୟ ପ୍ରଦାନ କରିବା ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରର ଏକ ଅଂଶବିଶେଷ ।

ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍‌ର ଦ୍ୱିତୀୟ ଲହରୀ ମଧ୍ୟରେ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଦଳମାନଙ୍କୁ ବିଶାଳ ଜନସମାବେଶ ଓ ରାଲି କରିବାକୁ ଅନୁମତି ପ୍ରଦାନ କରାଯିବା ନେଇ ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଥିଲେ । ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନ ଏକାନ୍ତ ଭାବେ ଦାୟୀ ବୋଲି ହାଇକୋର୍ଟ କହିଥିଲେ । ଏଥିପାଇଁ ନିର୍ବାଚନ କମିଶନ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ଉଚିତ ବୋଲି କୋର୍ଟ କହିଥିଲେ ।

ମାଡ୍ରାସ୍ ହାଇକୋର୍ଟଙ୍କ ଏଭଳି କଡ଼ା ଟିପ୍ପଣୀରେ ଆପତ୍ତି ଉଠାଇ ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।