ନେହରୁ ନୁହଁ, ମୋଦି ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ଅନ୍ୟକୁ ଦୋଷ ନ ଦେଇ ଲୋକଙ୍କୁ ବଞ୍ଚାନ୍ତୁ: ପ୍ରିୟଙ୍କା | News Room Odisha

ନେହରୁ ନୁହଁ, ମୋଦି ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ଅନ୍ୟକୁ ଦୋଷ ନ ଦେଇ ଲୋକଙ୍କୁ ବଞ୍ଚାନ୍ତୁ: ପ୍ରିୟଙ୍କା

ନୂଆଦିଲ୍ଲୀ – ଦେଶରେ କୋଭିଡ୍ ସ୍ଥିତି ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଏବେ ପଣ୍ଡିତ ଜବାହାରଲାଲ ନେହେରୁ ନୁହଁନ୍ତି, ବରଂ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ । ଏବଂ ସେ ପ୍ରଧାନମନ୍ତ୍ରୀ ଭାବେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ୍। ସରକାରଙ୍କ ଟିକା ରଣନୀତିକୁ ‘ଚରମ ବିଫଳତା’ ବୋଲି ଅଭିହିତ କରି ପ୍ରିୟଙ୍କା କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଅନ୍ୟମାନଙ୍କ ଉପରେ ଦୋଷ ଲଦି ପାରିବେ ନାହିଁ ।

ପ୍ରିୟଙ୍କା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମଧ୍ୟ କହିଛନ୍ତି ଯେ ସଙ୍କଟ ସମୟରେ ବିରୋଧୀ ଦଳମାନେ ଦେଇଥିବା ଗଠନମୂଳକ ପରାମର୍ଶ ଗ୍ରହଣ କରିବା ପରିବର୍ତ୍ତେ ତାହା ପ୍ରତ୍ୟାଖ୍ୟାନ କରାଯାଉଛି। ସେ କହିଛନ୍ତି ଯେ ରାଜନୀତି ବନ୍ଦ କରି ଆମେ ଏଭଳି ଘଡିସନ୍ଧି ସମୟରେ ଏକାଠି ଠିଆ ହେବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯାହା କରାଯାଇପାରିବ ତାହା କରିବା ଉଚିତ୍।

କଂଗ୍ରେସର ମହାସଚିବ କହିଛନ୍ତି ଯେ ସରକାର ଅଯଥାରେ ସମୟ ନଷ୍ଟ କରୁଛନ୍ତି। ନିସ୍ୱାର୍ଥପର ମନୋଭାବ ଏବଂ ଆତ୍ମ ସମ୍ମାନ ସହ ଦେଶ ସେବା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ (ମନମୋହନ ସିଂ)ଙ୍କ ଏକ ଚିଠିର ଉତ୍ତର ଜଣେ ମନ୍ତ୍ରୀଙ୍କ ମାଧ୍ୟମରେ ଦିଆଯାଉଛି । ଅମ୍ଳଜାନର ଚାହିଦା ବୃଦ୍ଧି ଘଟିବା ପାଇଁ କେନ୍ଦ୍ରମନ୍ତ୍ରୀ ରାଜ୍ୟମାନଙ୍କୁ ଦାୟୀ କରୁଛନ୍ତି । କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ବିରୋଧୀ ଦଳ ଦ୍ବାରା ଶାସିତ ସରକାରଙ୍କୁ ଟାର୍ଗେଟ କରାଯାଉଛି।