ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସା, ସିଆଇଏସଏଫ ଯବାନଙ୍କ ଗୁଳିରେ ୪ ମୃତ | News Room Odisha

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସା, ସିଆଇଏସଏଫ ଯବାନଙ୍କ ଗୁଳିରେ ୪ ମୃତ

କୋଲକାତା – ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ କୋଚବେହାରରେ ଘଟିଥିବା ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଉତ୍ତର ପଶ୍ଚିମବଙ୍ଗର କୋଚବେହାରସ୍ଥିତ ସୀତାଲୁଚିରେ ସେଣ୍ଟ୍ରାଲ ଫୋର୍ସ ସିଆଇଏସଏଫ ଯବାନଙ୍କ ଗୁଳି ଚଳାଇବାରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୧୮ ବର୍ଷ ବୟସ୍କ ଜଣେ ଯୁବକ ମଧ୍ୟ ଅଛନ୍ତି | ତେବେ ଟିଏମସି ଦାବି କରିଛି ଯେ ଏହି ଗୁଳିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସମସ୍ତେ ଟିଏମସି କର୍ମକର୍ତ୍ତା ।

ଏହି ଘଟଣା ପରେ କୋଚବେହାର ସୀତାଲୁଚି ସ୍ଥିତ ମତଦାନ କେନ୍ଦ୍ର ୧୨୫ରେ ମତଦାନ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଆଭ୍ୟନ୍ତରୀଣ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ଅପରାହ୍ନ ୫ଟା ପର୍ଯ୍ୟନ୍ତ ସୁପରଭାଇଜର ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ବିସ୍ତୃତ ରିପୋର୍ଟ ମଗାଯାଇଛି।

ସୂଚନାନୁସାରେ, ସ୍ଥାନୀୟ ଲୋକମାନେ ସିଆଇଏସ୍ଏଫ୍ ଯବାନଙ୍କ ରାଇଫଲକୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଯାହା ପରେ ସୁରକ୍ଷାକର୍ମୀଙ୍କୁ ଗୁଳି ଚଳାଇବାକୁ ପଡିଥିଲା।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ସ୍ଥାନୀୟ ଲୋକ ସିଆଇଏସ୍ଏଫକୁ ଘେରି ରହିଥିଲେ ଏବଂ ସେମାନଙ୍କ ରାଇଫଲ ଛଡ଼ାଇବାକୁ ଚେଷ୍ଟା କରିଥିଲେ, ଏହା ପରେ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ। ଏହି ଘଟଣା ସମ୍ପର୍କରେ ନିର୍ବାଚନ ଆୟୋଗ ସ୍ଥାନୀୟ ପ୍ରଶାସନରୁ ରିପୋର୍ଟ ମାଗିଛନ୍ତି।