ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ମମତା, ଶୁଭେନ୍ଦୁଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ | News Room Odisha

ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ମମତା, ଶୁଭେନ୍ଦୁଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

କୋଲକାତା/ଗୁଆହାଟି – ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୩୦ ଓ ଆସାମର ୩୯ ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ପଶ୍ଚିମବଙ୍ଗର ୩୦ ଆସନ ମଧ୍ୟରେ ହାଇ ପ୍ରୋଫାଇଲ୍ ନନ୍ଦିଗ୍ରାମ ଆସନ ରହିଛି । ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଚଳିତ ଥର ଏହି ଆସନରୁ ଲଢ଼ୁଛନ୍ତି । ଏଠାରେ ମମତାଙ୍କୁ ଟକ୍କର ଦେଉଛନ୍ତି ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ଉଭୟଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ସିଲ୍ ହୋଇଯିବ । ଉଭୟ ମମତା ଓ ଶୁଭେନ୍ଦୁ ନିଜ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନନ୍ଦିଗ୍ରାମ ସମେତ ସବୁ ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୭ରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୮୪.୧୩ ପ୍ରତିଶତ ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଆସନରେ ମୋଟ ୧୭୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟରେ ୭୫ ଲକ୍ଷ ୯୪ ହଜାର ୫୪୯ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ ।
ଅନ୍ୟପଟେ ଆସାମରେ ୩୯ ଆସନରେ ୩୪୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୭୩.୪୪ ଲକ୍ଷ ଭୋଟର ମତଦାନ କରିବେ । ମତଦାନ ପାଇଁ ୧୦,୫୯୨ ପୋଲିଂ ବୁଥ ପ୍ରତିଷ୍ଠା କରାଯାଇଛି । ଏହି ପର୍ଯ୍ୟାୟରେ ବିଜେପିର ପୀୟୁଷ ହଜାରିକା, ବିଧାନସଭା ଉପବାଚସ୍ପତି ଅମିନୁଲ ହକ୍ ଲସ୍କର, କଂଗ୍ରେସର ସମ୍ ରୋଙ୍ଗହ୍ୟାଙ୍ଗ୍ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।