ପିଙ୍କ୍ ବଲ୍ ଟେଷ୍ଟକୁ ଦୁଇଦିନରେ ଜିତିଲା ଭାରତ, ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା | News Room Odisha

ପିଙ୍କ୍ ବଲ୍ ଟେଷ୍ଟକୁ ଦୁଇଦିନରେ ଜିତିଲା ଭାରତ, ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା

ଅହମ୍ମଦାବାଦ – ସ୍ପିନ ଯୋଡି ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ପୁଣିଥରେ ଘାତକ ପ୍ରଦର୍ଶନ ସହାୟତାରେ ଭାରତ ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ମାତ୍ର ଦୁଇ ଦିନ ଭିତରେ ଜିତିନେଇଛି । ସ୍ପିନରଙ୍କ ଭୂସ୍ୱର୍ଗ ସାବ୍ୟସ୍ତ ହୋଇଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ପିଚରେ ଅକ୍ଷର-ଅଶ୍ୱିନ ପୁଣି ପ୍ରାଧାନ୍ୟ ଜାହିର କରିଥିବା ବେଳେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇଛି । ଏଥିସହ ଭାରତ ତିନି ମ୍ୟାଚ୍ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି । ଏହି ବିଜୟ ସହ ଭାରତ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ନିକଟତର ହୋଇଛି । ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ଚତୁର୍ଥ ତଥା ଶେଷ ଟେଷ୍ଟରେ କେବଳ ଡ୍ର ଆବଶ୍ୟକ । ଅନ୍ୟପକ୍ଷେ ଭାରତ ଠାରୁ ପରାଜୟ ପରେ ଇଂଲଣ୍ଡର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଆଶା ମଉଳି ଯାଇଛି ।

ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ସାବ୍ୟସ୍ତ ହୋଇଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଟ୍ରାକରେ ଭାରତ ମଧ୍ୟ ପ୍ରଥମ ଇନିଂସରେ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର ୧୧୨ ରନ୍ ଜବାବରେ ଭାରତ କେବଳ ୧୪୫ ରନରେ ସୀମିତ ରହିଥିଲା । ପ୍ରଥମ ଇନିଂସରେ ୩୩ ରନ୍ ପଛରେ ରହିବା ପରେ ଦ୍ୱିତୀୟ ଇନିଂସରେ ବି ଇଂଲଣ୍ଡ ଅକ୍ଷର-ଅଶ୍ୱିନଙ୍କ ଯୋଡି ଆଗରେ ଆତ୍ମସମର୍ପଣ କରି ମାତ୍ର ୮୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ବିପକ୍ଷରେ ଇଂଲଣ୍ଡର ଏହା ଥିଲା ସର୍ବନିମ୍ନ ଟେଷ୍ଟ ସ୍କୋର । ଅକ୍ଷର ପୁଣି ନିଜ ପ୍ରତିଭାର ପ୍ରମାଣ ଦେଇ ୫ଟି ୱିକେଟ୍ ହାସଲ କରିଥିବା ବେଳେ ଅଶ୍ୱିନ ୪ଟି ୱିକେଟ୍ ନେଇଥିଲେ । ଅଶ୍ୱିନ ମଧ୍ୟ ଚତୁର୍ଥ ଭାରତୀୟ ଭାବେ ୪୦୦ ୱିକେଟ୍ ମାଇଲଖୁଣ୍ଟ ଛୁଇଁଥିଲେ । ଭାରତ ଆଗରେ କେବଳ ୪୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହାର ଜବାବରେ ରୋହିତ ଶର୍ମା ଓ ଶୁବମନ ଗିଲ୍ ଇଂଲଣ୍ଡକୁ କୌଣସି ସୁଯୋଗ ନ ଦେଇ ଔପଚାରିକତା ପୂରଣ କରିଥିଲେ । ଭାରତ ମାତ୍ର ୭.୪ ଓଭରରେ ବିନା କୌଣସି କ୍ଷତିରେ ବିଜୟଲକ୍ଷ୍ୟରେ ପହଞ୍ଚିଥିଲା । ରୋହିତ ୨୫ ଓ ଶୁବମନ ୧୫ ରନ୍ କରି ଅପରାଜିତ ରହିଥିଲେ । ଏହି ଟେଷ୍ଟରେ ମୋଟ ୧୧ ୱିକେଟ୍ ନେଇଥିବା ଅକ୍ଷର ପଟେଲ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସେ ବିଶ୍ୱର ପ୍ରଥମ ବୋଲର ଭାବେ ଏକ ଦିବାରାତ୍ର ଟେଷ୍ଟରେ ୧୧ ୱିକେଟ୍ ହାସଲ କରିଛନ୍ତି ।

ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ୨୨୭ ରନରେ ଶୋଚନୀୟ ପରାଜୟ ପରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହ ସିରିଜରେ କ୍ରମାଗତ ଦୁଇଟି ଟେଷ୍ଟ ଜିତି ୨-୧ ଅଗ୍ରଣୀ ହାସଲ କରିଛି । ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହିଁ ମାର୍ଚ ୪ରୁ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିନୟସିପ୍ ଫାଇନାଲକୁ ଉନ୍ନୀତ ହେବାକୁ ହେଲେ ଭାରତକୁ ଏହି ସିରିଜ୍ ୨-୧ କିମ୍ବା ୩-୧ରେ ଜିତିବାକୁ ପଡିବ । ଚତୁର୍ଥ ଟେଷ୍ଟ ଡ୍ର ରହିଲେ ବି ଭାରତ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ନ୍ୟୁଜିଲାଣ୍ଡ ପୂର୍ବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସ୍ଥାନ ପକ୍କା କରିସାରିଛି ।

India winPink Ball Test