ପୁଟିନଙ୍କୁ ‘ହତ୍ୟାକାରୀ’ କହିଲେ ବାଇଡେନ୍‌, ଆମେରିକାରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଲା ରୁଷ୍ | News Room Odisha

ପୁଟିନଙ୍କୁ ‘ହତ୍ୟାକାରୀ’ କହିଲେ ବାଇଡେନ୍‌, ଆମେରିକାରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଲା ରୁଷ୍

‌ୱାଶିଂଟନ – ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ଭ୍ଲାଦିମିର ପୁଟିନଙ୍କୁ ‘ହତ୍ୟାକାରୀ’ ବୋଲି କହିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ପୁଟିନଙ୍କ ପ୍ରତି ବାଇଡେନଙ୍କ ଏହି ଆକ୍ଷେପ ପରେ ରୁଷ୍ ଆମେରିକାରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି ।

ଏକ ଟେଲିଭିଜନ ସାକ୍ଷାତକାରରେ ପୁଟିନଙ୍କୁ ‘ହତ୍ୟାକାରୀ’ ବୋଲି କହିଥିଲେ ବାଇଡେନ୍ । ଆମେରିକା ନିର୍ବାଚନରେ ହସ୍ତକ୍ଷେପ ପୁଟିନଙ୍କୁ ମହଙ୍ଗା ପଡିବ ବୋଲି ବାଇଡେନ୍ କହିଥିଲେ ।
ବାଇଡେନଙ୍କ ଏହି ମନ୍ତବ୍ୟକୁ ନେଇ ରୁଷ୍‌-ଆମେରିକା ମଧ୍ୟରେ ସାନି ବିବାଦ ଉପଜୁଛି । ରାଷ୍ଟ୍ରପତି ହେବା ପରେ ବାଇଡେନ୍ ପ୍ରଥମ ଥର ଏକ ରାଜନୈତିକ ସଙ୍କଟର ସାମ୍ନା କରିଛନ୍ତି ।
ଏବିସି ନ୍ୟୁଜ୍ ସହ ଏକ ସାକ୍ଷାତକାରରେ ବାଇଡେନଙ୍କୁ ଆମେରିକୀୟ ଗୁଇନ୍ଦା ବିଭାଗ ରିପୋର୍ଟ ଆଧାରରେ ଏକ ପ୍ରଶ୍ନ କରାଯାଇଥିଲା । ଆମେରିକୀୟ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ୨୦୨୦ ନଭେମ୍ବରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ରୁଷ୍ ଡେମୋକ୍ରାଟିକ ପ୍ରାର୍ଥୀଙ୍କ ପରାଜୟ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ନିଶ୍ଚିତ କରିବା ଲାଗି ରୁଷ୍ ଉଦ୍ୟମ କରିଥିଲା । ଏନେଇ ବାଇଡେନଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, ପୁଟିନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ ।

ରୁଷ୍‌ର ବିରୋଧୀ ଦଳ ନେତା ଅଲେକ୍ସି ନବେଲ୍‌ନିଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ହେବା ପରେ ପୁଟିନଙ୍କୁ ଜଣେ ହତ୍ୟାକାରୀ ବୋଲି ସେ ଭାବୁଛନ୍ତି କି ବୋଲି ପ୍ରଶ୍ନରେ ବାଇଡେନ୍ କହିଥିଲେ, ହଁ, ପୁଟିନ୍ ଜଣେ ହତ୍ୟାକାରୀ ।