ପୁନାଓ୍ବାଲାଙ୍କ ଅଭିଯୋଗ: ଟିକା ପାଇଁ ପ୍ରଭାବଶାଳୀ ନେତାଙ୍କ ଠାରୁ ମିଳୁଛି ଧମକ | News Room Odisha

ପୁନାଓ୍ବାଲାଙ୍କ ଅଭିଯୋଗ: ଟିକା ପାଇଁ ପ୍ରଭାବଶାଳୀ ନେତାଙ୍କ ଠାରୁ ମିଳୁଛି ଧମକ

ନୂଆଦିଲ୍ଲୀ: ଭାରତରେ କୋଭିଶିଲ୍ଡ ଟିକା ଉତ୍ପାଦନ କରୁଥିବା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ର ସିଇଓ ଆଦର ପୁନାୱାଲାଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍ ଆସୁଛି। ଲଣ୍ଡନରେ ଟାଇମ୍ସ ୟୁକେକୁ ଦେଇଥିବା ଏକ ସାକ୍ଷାତକାରରେ ପୁନାୱାଲା ଏଭଳି ଅଭିଯୋଗ କରିଛନ୍ତି । ଯେ କହିଛନ୍ତି ଯେ ଭାରତର କ୍ଷମତାଶାଳୀ ନେତା ତଥା ବ୍ୟବସାୟୀମାନେ ତାଙ୍କୁ ଫୋନରେ ଧମକ ଦେଉଛନ୍ତି। ସେମାନଙ୍କ ମଧ୍ୟରୁ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ସମସ୍ତେ ତାଙ୍କୁ ତୁରନ୍ତ କୋଭିଶିଲ୍ଡ ଯୋଗାଇ ଦିଆଯାଉ ବୋଲି ଦାବି କରୁଛନ୍ତି।

ଏହି ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପକ୍ଷରୁ ପୁନାୱାଲାଙ୍କୁ ‘ଓ୍ବାଇ’ ବର୍ଗର ସୁରକ୍ଷା ମିଳିଛି | ବର୍ତ୍ତମାନ ୧୧ ଜଣ ସୁରକ୍ଷା କର୍ମୀ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ର ୪-୫ କମାଣ୍ଡୋ ପୁନାୱାଲାଙ୍କ ସୁରକ୍ଷାରେ ସବୁବେଳେ ରହିବେ | ସେ ସାରା ଦେଶରେ ଏହି ସୁରକ୍ଷା କଭର ପାଇବେ ।

ଟିକା ଯୋଗାଣ ନେଇ ମୋ ଉପରେ ପ୍ରବଳ ଚାପ ପକାଯାଉଛି । ଟିକା ପାଇଁ ଲୋକଙ୍କ ଠାରୁ ସେ ଏମିତି ଧମକ ପାଇବେ ବୋଲି କେବେ ଆଶା କରିନଥିଲେ | ସମସ୍ତେ ଚାହାଁନ୍ତି ଯେ ସେମାନଙ୍କୁ ପ୍ରଥମେ ଟିକା ଦିଅଆଯାଉ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ କଲ୍ କରୁଥିବା ଲୋକମାନେ ସେମାନଙ୍କୁ ଟିକା ନଦେଲେ ପରିଣାମ ଭଲ ହେବ ନାହିଁ ବୋଲି କହୁଛନ୍ତି । ଏହା କଥାବାର୍ତ୍ତା କରିବାର ତରିକା ନୁହେଁ, ଏହା ଏକ ଖୋଲା ଧମକ | ଯଦି ମୁଁ ସେମାନଙ୍କ କଥା ନ ଶୁଣେ ତେବେ ପରିଣାମ କ’ଣ ହୋଇପାରେ ତାହା ସେମାନେ ମୋତେ କହିବାକୁ ଚେଷ୍ଟା କରନ୍ତି | ସେ କହିଛନ୍ତି ଯେ ଏହି ଘଟଣା ଯୋଗୁଁ ଆମେ ଆମ କାର୍ଯ୍ୟ ସଠିକ୍ ଭାବ କରିବା କଷ୍ଟକର ହୋଇପଡିଛି।

ପୁନାୱାଲା ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ବ୍ରିଟେନରେ ଭାରତୀୟଙ୍କ ପ୍ରବେଶ ନିଷେଧ ହେବା ପୂର୍ବରୁ ସେ ସେଠାରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ମୁଁ ଏଠାରେ ଦୀର୍ଘ ସମୟ ରହିବାକୁ ନିଷ୍ପତ୍ତି ନେଇଛି। ଏଭଳି ଧମକପୂର୍ଣ୍ଣ ମାହୋଲ୍ ମଧ୍ୟରେ ମୁଁ ଭାରତ ଫେରିବାକୁ ଚାହେଁ ନାହିଁ। ମୋ ଉପରେ ପ୍ରବଳ ଚାପ ରହିଛି, କିନ୍ତୁ ମୁଁ ଏକା ଏହି ସବୁ କାମ(ଟିକା ଯୋଗାଣ) କରିପାରିବି ନାହିଁ ।

ପୁନାଓ୍ବାଲା ଭାରତ ବାହାରେ ବି ଟିକା ଉତ୍ପାଦନ କରିବାକୁ ଚାହୁଁଛନ୍ତି। ଏଥିରେ ବ୍ରିଟେନ ମଧ୍ୟ ସାମିଲ ଅଛି | କିଛି ଦିନ ମଧ୍ୟରେ ସେ ସେହି ଦେଶର ନାମ ଘୋଷଣା କରିବେ ବୋଲି ପୁନାଓ୍ବାଲା କହିଛନ୍ତି ।