ପୁନାୱାଲାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦାବିରେ ବମ୍ବେ ହାଇକୋର୍ଟରେ ପିଟିସନ | News Room Odisha

ପୁନାୱାଲାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦାବିରେ ବମ୍ବେ ହାଇକୋର୍ଟରେ ପିଟିସନ

ମୁମ୍ବାଇ: ‘କୋଭିଶିଲ୍ଡ’ ଟିକା ଉତ୍ପାଦନ କରୁଥିବା ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଅଧ୍ୟକ୍ଷ ଅଦାର ପୁନାୱାଲା ଓ ତାଙ୍କ ପରିବାର ପାଇଁ ଜେଡ୍ ପ୍ଲସ୍ ସୁରକ୍ଷା ଦାବିରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରାଯାଇଛି । ଶୀଘ୍ର ଟିକା ଯୋଗାଇବା ପାଇଁ ତାଙ୍କୁ ଅନେକ ପ୍ରଭାବଶାଳୀ ଲୋକଙ୍କ ଠାରୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଛି ବୋଲି ପୁନାୱାଲା ନିକଟରେ ଅଭିଯୋଗ କରିଥିଲେ । ସପରିବାର ଲଣ୍ଡନରେ ପହଞ୍ଚିବା ପରେ ପୁନାୱାଲା ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ଏଭଳି ଅଭିଯୋଗ କରିଥିଲେ ।

ବମ୍ବେ ହାଇକୋର୍ଟରେ ଦାୟର ପିଟିସନରେ କୁହାଯାଇଛି ଯେ, ପୁନାୱାଲାଙ୍କୁ ବାରମ୍ବାର ଧମକ ମିଳୁଛି । ଏଥିପାଇଁ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଓ ଏହାର ସମ୍ପତ୍ତିର ସୁରକ୍ଷା କରାଯିବା ଦରକାର । ରାଜ୍ୟ ସରକାରଙ୍କୁ ଏହି ମାମଲାରେ ଏଫ୍‌ଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି ।

ଜେଡ୍ ପ୍ଲସ୍ ସୁରକ୍ଷା ସାଧାରଣତଃ ଭିଭିଆଇପି ମାନଙ୍କୁ ପ୍ରଦାନ କରାଯାଏ । ପୂର୍ବରୁ କେନ୍ଦ୍ର ପକ୍ଷରୁ ପୁନାୱାଲାଙ୍କୁ ‘ୱାଇ’ କାଟେଗୋରି ସୁରକ୍ଷା ପ୍ରଦାନ କରାଯାଇଛି ।

ବିଶ୍ୱର ସବୁଠୁ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ପୁନାୱାଲା ନିକଟରେ ବ୍ରିଟେନର ଖବରକାଗଜ ‘ଟାଇମ୍ସ’କୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, ଟିକା ଯୋଗାଇ ଦେବା ପାଇଁ ତାଙ୍କ ପାଖକୁ ଅନେକ ପ୍ରଭାବଶାଳୀ ନେତା, ମୁଖ୍ୟମନ୍ତ୍ରୀ, ବ୍ୟବସାୟୀ ଫୋନ୍ କରୁଛନ୍ତି । ସେମାନଙ୍କୁ ପ୍ରଥମେ ଟିକା ଦିଆନଗଲେ ଭଲ ହେବନି ବୋଲି ଧମକ ବି ଦେଉଛନ୍ତି ।

ପୁନାୱାଲାଙ୍କ ଏଭଳି ଅଭିଯୋଗ ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ପୁନାୱାଲାଙ୍କ ଅଭିଯୋଗର ତଦନ୍ତ କରାଯିବା ସହ ତାଙ୍କୁ କେଉଁ ନେତା ଧମକ ଦେଉଛନ୍ତି ସେମାନଙ୍କ ନାମ ପ୍ରକାଶ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା ।