ପ୍ରତୀକ୍ଷାର ହେବ ଅନ୍ତ, କାଲିଠାରୁ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ତିନି ଦିନ ସେବାୟତ ଓ ପରିବାର କରିବେ ଦିଅଁ ଦର୍ଶନ | News Room Odisha

ପ୍ରତୀକ୍ଷାର ହେବ ଅନ୍ତ, କାଲିଠାରୁ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ତିନି ଦିନ ସେବାୟତ ଓ ପରିବାର କରିବେ ଦିଅଁ ଦର୍ଶନ

ପୁରୀ- ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କାଲିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ତିନି ଦିଅଁକୁ ଦର୍ଶନ କରିବେ ଭକ୍ତ । ପ୍ରଥମ ତିନି ଦିନ ଅର୍ଥାତ ଡିସେମ୍ବର ୨୩ ତାରିଖରୁ ୨୫ ତାରିଖ ଯାଏଁ କେବଳ ସେବାୟତ ଓ ତାଙ୍କ ପରିବାର ମନ୍ଦିର ଭିତରେ ଦିଅଁ ଦର୍ଶନ କରିପାରିବେ । ଦର୍ଶନ ନେଇ ଏସଓପି ପ୍ରସ୍ତୁତ ହୋଇଛି । ବୁଧବାର ଦିନ ସକାଳ ସାଢେ ୭ଟାରୁ ଦର୍ଶନ ଆରମ୍ଭ ହେବ । ସୂଚନା ଅନୁସାରେ ଜୋତା ଷ୍ଟାଣ୍ଡରେ ଜୋତା ରଖି ଫଟୋ ଉଠାଇ ସାନିଟାଇଜ ପରେ ଦର୍ଶନ ପାଇଁ ମନ୍ଦିରକୁ ଯିବେ ।

ଆସନ୍ତା ୨୬ ତାରିଖରୁ ୩୧ ତାରିଖ ଯାଏଁ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏ ନେଇ ୱାର୍ଡ ୱାରୀ ତାଲିକା ପ୍ରସ୍ତୁତ କରାଯାଇଛି । ୨୬ ତାରିଖରେ ସହରର ୨, ୩, ୬, ୯, ୧୧, ୧୨, ୧୫ ନମ୍ବର ୱାର୍ଡର ଲୋକେ ମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସକାଳ ସାଢେ ୭ଟାରୁ ସାଢେ ୧୧ଟା ଯାଏଁ ପ୍ରଥମ ପର୍ଯ୍ୟାୟ ଦର୍ଶନ , ଦିନ ୧୨ଟାରୁ ଅପରାହ୍ନ ୪ଟା ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଦର୍ଶନ ଓ ସାଢେ ୪ଟାରୁ ପହୁଡ ଯାଏଁ ତୃତୀୟ

ପର୍ଯ୍ୟାୟ ଦର୍ଶନ ବ୍ୟବସ୍ଥା ରହିଛି । ୩୧ ତାରିଖ ଯାଏଁ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ କରିବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଚ୍ଛାସେବୀ ରହିବେ । ଭିନ୍ନକ୍ଷମଙ୍କ ପାଇଁ ଉତରଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଜାନୁଆରି ୩ତାରିଖଠାରୁ ଜିଲ୍ଲା ବାହାରର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

Puri Jagannath Temple