ପ୍ରଥମେ ପଡ଼ୋଶୀ ଦେଶଙ୍କୁ କରୋନା ଟିକା ଯୋଗାଇବ ଭାରତ | News Room Odisha

ପ୍ରଥମେ ପଡ଼ୋଶୀ ଦେଶଙ୍କୁ କରୋନା ଟିକା ଯୋଗାଇବ ଭାରତ

ନୂଆଦିଲ୍ଲୀ – ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇଟି କରୋନାଭାଇରସ୍ ଟିକାକୁ ଅନୁମତି ଦିଆଯିବା ପରେ ବର୍ତ୍ତମାନ ବିଶ୍ଵର ନଜର ଭାରତ ଉପରେ ରହିଛି। ବିଶ୍ଵର ଅଧିକାଂଶ ଦେଶ ଭାରତର କରୋନା ଟିକା ନିଜ ଦେଶକୁ ଆଣିବାକୁ ଚାହୁଁଛନ୍ତି। ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ତାଙ୍କୁ ତୁରନ୍ତ ଭାରତ ବାୟୋଟେକ-ଆଷ୍ଟ୍ରା ଜେନେକା ଟିକାର ୨୦ ଲକ୍ଷ ଡୋଜ ଦେବାକୁ ଅନୁରୋଧ କରିଛନ୍ତି। ତେବେ ଭାରତ ଦ୍ୱାରା ପ୍ରସ୍ତୁତ ଯୋଜନା ଅନୁଯାୟୀ ପ୍ରଥମେ ପଡୋଶୀ ଦେଶମାନଙ୍କୁ କରୋନା ଟିକା ଦିଆଯିବ, ଏହା ପରେ ଅନ୍ୟ ଦେଶ କଥା ବିଚାର କରାଯିବ ।

କରୋନା ମହାମାରୀ ମଧ୍ୟରେ ବିଶ୍ବ ବ୍ୟଗ୍ରତା ର ସହ ଟିକାକୁ ଅପେକ୍ଷା କରିଛି । ଭାରତରେ ଦୁଇଟି କରୋନା ଟିକା ବ୍ୟବହାର କରିବାକୁ ଅନୁମତି ଦିଆଯିବା ପରେ ବ୍ରାଜିଲ, ମୋରୋକୋ, ସାଉଦି ଆରବ, ମିଆଁମାର, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଭଳି ଦେଶ ଆନୁଷ୍ଠାନିକ ଭାବେ ଭାରତରୁ ଟିକା ମାଗିଛନ୍ତି। ସୂଚନାନୁସାରେ, କରୋନା ଟିକା ବିତରଣ ପାଇଁ ଭାରତ ସରକାର ପ୍ରଥମେ ପଡୋଶୀ ଦେଶ ବାଂଲାଦେଶ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ପ୍ରତି ପ୍ରାଥମିକତା ଦେବେ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ପୂରା ବିଶ୍ୱ ସହ ଭାରତ ଆରମ୍ଭରୁ କରୋନାର ମୁକାବିଲା କରିଆସୁଛି। ଏହି ଦିଗରେ ସହଯୋଗ କରିବା ଆମର କର୍ତ୍ତବ୍ୟ | ଆମର ପ୍ରୟାସ ହେଉଛି ଏହି ଯୁଦ୍ଧରେ ଆମେ ବିଶ୍ବକୁ ଯଥାସମ୍ଭବ ସାହାଯ୍ୟ କରିବା । ସୂଚନାଯୋଗ୍ୟ ଯେ ସେରମ୍ ଇନଷ୍ଟିଚ୍ୟୁଟର ‘କୋଭିସିଲ୍ଡ’ ଏବଂ ଭରତ ବାୟୋଟେକର ‘କୋଭାକ୍ସିନ’ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟନ୍ତ୍ରକ ଚୂଡ଼ାନ୍ତ ଅନୁମତି ଦେଇଛନ୍ତି |

COVID-19 VaccinationCOVID-19 Vaccine