ପ୍ରଶ୍ନପତ୍ର ପ୍ରଘଟ ପରେ ନିଯୁକ୍ତି ସମ୍ବନ୍ଧୀୟ ପରୀକ୍ଷା ବାତିଲ କଲା ସେନା | News Room Odisha

ପ୍ରଶ୍ନପତ୍ର ପ୍ରଘଟ ପରେ ନିଯୁକ୍ତି ସମ୍ବନ୍ଧୀୟ ପରୀକ୍ଷା ବାତିଲ କଲା ସେନା

ନୂଆଦିଲ୍ଲୀ – ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ସେନା ତରଫରୁ ଜେନେରାଲ ଡ୍ୟୁଟି ପାଇଁ ନିଯୁକ୍ତି ସମ୍ବନ୍ଧୀୟ ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷା ଏକକାଳୀନ ସାରା ଦେଶରେ ହେବାର ଥିଲା । ଏହି ମାମଲାରେ ପୁଣେରୁ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ନେଇ ଭାରତୀୟ ସେନାର ଶୂନ୍ୟ ସହନଶୀଳତା ନୀତି ରହିି ଆସିଛି । ଏଭଳି ଜାଲିଆତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଜଣେ ସେନା ଅଧିକାରୀ କହିଛନ୍ତି ।

ପୁଣେ ପୋଲିସ ସହ ଏକ ମିଳିତ ଅପରେସନ ପରେ ସୈନ୍ୟ ନିଯୁକ୍ତି (ଜେନେରାଲ ଡ୍ୟୁଟି) ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ଜଣାପଡିଥିଲା ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି । ଏହି ଘଟଣାରେ ତଦନ୍ତ ଜାରି ରହିଛି । ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।