‘ଫିକି’ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କୃଷି କ୍ଷେତ୍ରରେ ସଂସ୍କାର ଚାଷୀଙ୍କ ହିତ ପାଇଁ ଉଦ୍ଦିଷ୍ଟ | News Room Odisha

‘ଫିକି’ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କୃଷି କ୍ଷେତ୍ରରେ ସଂସ୍କାର ଚାଷୀଙ୍କ ହିତ ପାଇଁ ଉଦ୍ଦିଷ୍ଟ

ନୂଆଦିଲ୍ଲୀ – କୃଷି କ୍ଷେତ୍ରରେ ଯେଉଁ ସଂସ୍କାର ଚାଲିଛି, ତାହା ଚାଷୀମାନଙ୍କ ହିତସାଧନ ପାଇଁ ଉଦ୍ଦିଷ୍ଟ । କୃଷି ଆଇନରୁ ଚାଷୀମାନେ ଅଧିକ ଉପକୃତ ହେବେ । ଚାଷୀଙ୍କ ବିକାଶ ହେଲେ ଦେଶର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି)ର ୯୩ତମ ବାର୍ଷିକ ବୈଠକକୁ ସମ୍ବୋଧିତ କରି କହିଛନ୍ତି । କୃଷି ଆଇନକୁ ନେଇ ଚାଷୀମାନଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ôଚଥିବା ବେଳେ ଫିକି ବୈଠକରେ ମୋଦି ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି । ମୋଦି କହିଛନ୍ତି ଯେ, ଚାଷୀଙ୍କୁ ଯେତେ ଅଧିକ ସମର୍ଥନ ମିଳିବ ଓ କୃଷି କ୍ଷେତ୍ରରେ ଯେତେ ଅଧିକ ନିବେଶ କରାଯିବ ତାହା ଦ୍ୱାରା ଉଭୟ ଚାଷୀବର୍ଗ ଓ ଦେଶ ଆହୁରି ମଜଭୁତ ହେବ । ଚାଷୀଙ୍କ ସ୍ୱାର୍ଥରକ୍ଷା ସରକାରଙ୍କ ଲକ୍ଷ୍ୟ ଓ ନୀତି । ଆଗ ଅପେକ୍ଷା ଭାରତର କୃଷି କ୍ଷେତ୍ର ଆଜି ଆହୁରି ସଶକ୍ତ ହୋଇପାରିଛି । ନିଜ ଉତ୍ପାଦ ମଣ୍ଡି ବାହାରେ ବିକ୍ରି କରିବା ପାଇଁ ଚାଷୀଙ୍କ ପାଖରେ ବିକଳ୍ପ ରହିଛି । ସେମାନେ ଡିଜିଟାଲ ବା ଅନଲାଇନ ଜରିଆରେ ବି ବିକାକିଣା କରିପାରିବେ ବୋଲି ମୋଦି କହିଛନ୍ତି । କୃଷି କ୍ଷେତ୍ରରେ ସଂସ୍କାର ଦ୍ୱାରା ଚାଷୀମାନେ ଉପକୃତ ହେବେ । ସେମାନେ ଅଧିକ ଲାଭ ପାଇପାରିବେ । କୃଷି ଓ ଅନ୍ୟ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ମଧ୍ୟ ହଟିବ । ଚାଷୀମାନଙ୍କୁ ଏବେ ନୂଆ ବଜାର ଓ ନୂଆ ବିକଳ୍ପ ମିଳିବ ବୋଲି ମୋଦି କହିଛନ୍ତି ।

PM Narendra Modi