ବକ୍ସିଂ ଡେ ଟେଷ୍ଟ: ବୋଲର ଦେଲେ ଭାରତକୁ ବିଜୟ ସୁଯୋଗ, ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧୩୩/୬ | News Room Odisha

ବକ୍ସିଂ ଡେ ଟେଷ୍ଟ: ବୋଲର ଦେଲେ ଭାରତକୁ ବିଜୟ ସୁଯୋଗ, ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧୩୩/୬

ମେଲବୋର୍ଣ୍ଣ – ବୋଲରଙ୍କ ପୁଣି ଦମ୍‌ଦାର ପ୍ରଦର୍ଶନ ସହାୟତାରେ ଏଠାରେ ଚାଲିଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଭାରତର ବିଜୟ ସମ୍ଭାବନା ସୃଷ୍ଟି ହୋଇଛି । ଭାରତ ପ୍ରଥମ ଇନିଂସରେ ୧୩୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିବା ପରେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି ଦେଇଛି । ତୃତୀୟ ଦିବସର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୩୩ ରନରେ ୬ ୱିକେଟ୍ ହରାଇ ସଂଘର୍ଷ କରୁଛି । ହାତରେ ଆଉ ମାତ୍ର ୪ ୱିକେଟ୍ ରହିଥିବା ବେଳେ ଅଷ୍ଟ୍ରେଲିଆ ଏବେ ସୁଦ୍ଧା କେବଳ ୨ ରନ୍‌ରେ ଆଗୁଆ ରହିଛି । ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ୨ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଭାରତ ଚତୁର୍ଥ ଦିବସରେ ଅଷ୍ଟ୍ରେଲିଆର ବାକି ୪ ୱିକେଟ୍ ଶୀଘ୍ର ଖସାଇବା ଲକ୍ଷ୍ୟରେ ରହିବ ।

ପୂର୍ବରୁ ଭାରତ ତାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୭୭/୫ରୁ ଖେଳ ଆରମ୍ଭ କରି ୩୨୬ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା । ଭାରତ ୧୩୧ ରନରେ ଅଗ୍ରଣୀ ହାସଲ କରିଥିଲା । ଦଳ ତରଫରୁ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ସର୍ବାଧିକ ୧୧୨ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ୫୭ ରନ୍ କରିଥିଲେ । ଦୁର୍ଭାଗ୍ୟବଶତଃ ଭାବେ ରାହାଣେ ରନ୍ ଆଉଟ୍ ହୋଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ନାଥନ୍ ଲାୟନ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Boxing Day TestIndia vs Australia Test Series