ବମ୍ବେ ହାଇକୋର୍ଟ ବିଚାରପତିଙ୍କ ପଦୋନ୍ନତି ରଦ୍ଦ କଲେ ସୁପ୍ରିମକୋର୍ଟ, ଯୌନ ନିର୍ଯାତନା ମାମଲାରେ ବିବାଦୀୟ ରାୟ ଦେଇଥିଲେ | News Room Odisha

ବମ୍ବେ ହାଇକୋର୍ଟ ବିଚାରପତିଙ୍କ ପଦୋନ୍ନତି ରଦ୍ଦ କଲେ ସୁପ୍ରିମକୋର୍ଟ, ଯୌନ ନିର୍ଯାତନା ମାମଲାରେ ବିବାଦୀୟ ରାୟ ଦେଇଥିଲେ

ନୂଆଦିଲ୍ଲୀ – ଯୌନ ନିର୍ଯାତନା ମାମଲାରେ ବିବାଦୀୟ ରାୟ ଦେବା ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଜଷ୍ଟିସ୍ ପୁଷ୍ପା ଗୁନେଡିୱାଲାଙ୍କ ପାଇଁ ମହଙ୍ଗା ପଡିଛି । ବମ୍ବେ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ତାଙ୍କ ନିଯୁକ୍ତି ନେଇ ମଞ୍ଜୁରିକୁ ସୁପ୍ରିମକୋର୍ଟ କଲେଜିୟମ୍ ପ୍ରତ୍ୟାହାର କରିନେଇଛି । ନିକଟରେ ଦୁଇଟି ଯୌନ ନିର୍ଯାତନା ମାମଲାରେ ଜଷ୍ଟିସ୍ ପୁଷ୍ପା ଗୁନେଡିୱାଲା ବିବାଦୀୟ ରାୟ ଶୁଣାଇଥିଲେ । ଏଥିପାଇଁ ସେ ଚାରିଆଡୁ ସମାଲୋଚିତ ହୋଇଥିଲେ ।

ଜଣେ ୧୨ ବର୍ଷୀୟା ବାଳିକାକୁ ଯୌନ ନିର୍ଯାତନା ମାମଲାରେ ଜଷ୍ଟିସ୍ ପୁଷ୍ପା ଗୁନେଡିୱାଲା ଅଭିଯୁକ୍ତ ବ୍ୟକ୍ତିକୁ ଦୋଷମୁକ୍ତ କରିଥିଲେ । ସେ ତାଙ୍କ ରାୟରେ କହିଥିଲେ ଯେ ପୋଷାକ ପିନ୍ଧିଥିବା ଅବସ୍ଥାରେ ଯଦି ଜଣେ ବାଳିକାର ବକ୍ଷୋଜରେ ହସ୍ତ ସଞ୍ଚାଳନ କରାଯାଏ, ତେବେ ଏହାକୁ ଯୌନ ନିର୍ଯାତନା ବୋଲି ଧରାଯିବନି । କାରଣ ଏଥିରେ ଚର୍ମ ସହ ଚର୍ମର (ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ) ସ୍ପର୍ଶ ହୋଇନଥିଲା । ସେହିପରି ପକ୍ସୋ ଆଇନର ଆଉ ଏକ ମାମଲାରେ ଜଷ୍ଟିସ୍ ପୁଷ୍କା କହିଥିଲେ ଯେ, ଜଣେ ବାଳିକାର ହାତ ଧରିବା କିମ୍ବା ପ୍ୟାଣ୍ଟର ଚେନ୍ ଟାଣିବା ପକ୍ସୋ ଆଇନ ଅଧୀନରେ ଯୌନ ନିର୍ଯାତନା ଭାବେ ବିବେଚନା କରାଯିବ ନାହିଁ । ତାଙ୍କର ଏଭଳି ବିବାଦୀୟ ରାୟକୁ ସବୁଆଡୁ ତୀବ୍ର ସମାଲୋଚନା କରାଯାଇଥିଲା । ସୁପ୍ରିମକୋର୍ଟ ଜାନୁୟାରୀ ୨୭ରେ ଜଷ୍ଟିସ୍ ପୁଷ୍ପା ଗୁନେଡିୱାଲାଙ୍କ ଉକ୍ତ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ, ଯେଉଁଥିରେ ସେ ଜଣେ ୧୨ ବର୍ଷୀୟ ବାଳିକାକୁ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ବ୍ୟକ୍ତିକୁ ଦୋଷମୁକ୍ତ କରିଥିଲେ ।