ବିବାଦୀୟ ଧର୍ମଗୁରୁ ବୀରେନ୍ଦ୍ର ଦୀକ୍ଷିତଙ୍କ ବିରୋଧରେ ଇଣ୍ଟରପୋଲ ନୋଟିସ୍‌ | News Room Odisha

ବିବାଦୀୟ ଧର୍ମଗୁରୁ ବୀରେନ୍ଦ୍ର ଦୀକ୍ଷିତଙ୍କ ବିରୋଧରେ ଇଣ୍ଟରପୋଲ ନୋଟିସ୍‌

ନୂଆଦିଲ୍ଲୀ – ଆତ୍ମଘୋଷିତ ଧର୍ମଗୁରୁ ବୀରେନ୍ଦ୍ର ଦେଓ ଦୀକ୍ଷିତଙ୍କ ବିରୋଧରେ ଇଣ୍ଟରପୋଲ୍ ନୋଟିସ୍ ଜାରି ହୋଇଛି । ଏହି ବିବାଦୀୟ ଧର୍ମଗୁରୁ ନିଜ ଦିଲ୍ଲୀ ସ୍ଥିତ ଏକ ଆଶ୍ରମରେ ଅନେକ ନାବାଳିକା ଝିଅଙ୍କୁ ବନ୍ଦୀ ରଖି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଚାରି ବର୍ଷ ତଳେ ଏହି ଘଟଣାର ପର୍ଦ୍ଦାଫାସ୍ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

୨୦୧୭ରେ ଦୀକ୍ଷିତଙ୍କ ଆଶ୍ରମରୁ ଦୁଇ ଜଣ ଝିଅ ଖସିଆସି ଅଭିଯୋଗ କରିବା ପରେ ପୋଲିସ୍ ଏହି ଘଟଣାରେ ତିନୋଟି ଏତଲା ଦାୟର କରିଥିଲା । ତେବେ ମାମଲାର ପର୍ଦ୍ଦାଫାସ୍ ହେବା ପରଠାରୁ ୭୯ ବର୍ଷୀୟ ଦୀକ୍ଷିତ ଫେରାର୍ ଅଛନ୍ତି । ସେ ନେପାଳରେ ଲୁଚିଥିବା ସନ୍ଦେହ କରାଯାଉଛି । ତାଙ୍କ ବିରୋଧରେ ଇଣ୍ଟରପୋଲ୍ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛି । ଦୀକ୍ଷିତଙ୍କୁ ଧରିବା ପାଇଁ ପୂର୍ବରୁ ସିବିଆଇ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ।