ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଭି.ଶାନ୍ତାଙ୍କ ଦେହାନ୍ତ | News Room Odisha

ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଭି.ଶାନ୍ତାଙ୍କ ଦେହାନ୍ତ

ଚେନ୍ନାଇ – ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ତଥା ଅଦ୍ୟାର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟର ଅଧ୍ୟକ୍ଷା ଡକ୍ଟର ଭି.ଶାନ୍ତାଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଭି.ଶାନ୍ତାଙ୍କୁ ୨୦୦୫ରେ ଏସିଆ ମହାଦେଶର ମର୍ଯ୍ୟାଦାଜନକ ପୁରସ୍କାର ରମନ୍ ମ୍ୟାଗ୍‌ସେସେ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୫ରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସମାରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ଡକ୍ଟର ଶାନ୍ତା ଥିଲେ ନୋବେଲ ପୁରସ୍କାର ବିଜେତା ପ୍ରସିଦ୍ଧ ବୈଜ୍ଞାନିକ ଏସ୍‌.ଚନ୍ଦ୍ରଶେଖରଙ୍କ ଭାଣିଜୀ ଏବଂ ନୋବେଲ ପୁରସ୍କାର ବିଜେତା ସିଭି ରମଣ ଥିଲେ ତାଙ୍କ ଅଜାଙ୍କ ଭାଇ । ଶାନ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।

ଶେଷ ଦର୍ଶନ ପାଇଁ ଶାନ୍ତାଙ୍କ ପାର୍ଥିବ ଶରୀର ଚେନ୍ନାଇ ସ୍ଥିତ ପୁରୁଣା କ୍ୟାନସର ଇନଷ୍ଟିଚ୍ୟୁଟକୁ ନିଆଯାଇଛି । ନିଜ ଗୁରୁ ଡକ୍ଟର କ୍ରିଷ୍ଣାମୂର୍ତ୍ତିଙ୍କ ସହ ମିଶି ଶାନ୍ତା ଏହି କ୍ୟାନସର ଇନଷ୍ଟିଚ୍ୟୁଟ୍ ସ୍ଥାପନ କରିଥିଲେ । ତାଙ୍କ ଦ୍ୱାରା ସ୍ଥାପିତ ଏହି କ୍ୟାନ୍‌ସିର ଇନଷ୍ଟିଚ୍ୟୁଟ୍ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ବେଶ୍ ଖ୍ୟାତି ଅର୍ଜନ କରିଛି । କେବଳ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ନୁହେଁ, ଏଠାରେ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମାଜର ସବୁବର୍ଗର ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଆସୁଛି । ଯେଉଁ ରୋଗୀଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ, ସେମାନଙ୍କୁ ବି ଏଠାରେ ମାଗଣାରେ ଚିକିତ୍ସାସେବା ପ୍ରଦାନ କରାଯାଉଛି ।

V Santa