ଭାରତରେ କରୋନା ସଂକ୍ରମଣ ଦୁଇ ଲକ୍ଷ ଟପିଲା, ଆଉ ୧୦୩୮ ମୃତ | News Room Odisha

ଭାରତରେ କରୋନା ସଂକ୍ରମଣ ଦୁଇ ଲକ୍ଷ ଟପିଲା, ଆଉ ୧୦୩୮ ମୃତ

ନୂଆଦିଲ୍ଲୀ – ଭାରତରେ କରୋନାର ଅନିୟନ୍ତ୍ରିତ ଗତି ଥମିବାର ନାଁ ନେଉନାହିଁ। ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି । ପ୍ରଥମେ ଲକ୍ଷେ, ପରେ ଦେଢ଼ ଲକ୍ଷ ଛୁଇଁବା ପରେ ଏବେ ସଂକ୍ରମଣ ଦୁଇ ଲକ୍ଷ ଟପିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୦,୭୩୯ ଟି ନୂଆ ମାମଲା ଆସିଛି ଏବଂ ୧୦୩୮ ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ ୯୩,୫୨୮ ଲୋକ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାପୂର୍ବରୁ ମଙ୍ଗଳବାର ଦିନ ୧୮୪,୩୭୨ ଟି ନୂଆ ମାମଲା ଆସିଥିଲା। ଗତ ବର୍ଷ ଅକ୍ଟୋବର ୨ ତାରିଖ ପରେ ଦିନରେ ସର୍ବାଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି।
ଭାରତରେ ଏବେ ମୋଟ କରୋନା ମାମଲା ଏକ କୋଟି ୪୦ ଲକ୍ଷ ୭୪ ହଜାର ୫୬୪କୁ ବୃଦ୍ଧି ପାଇଛି ।

ଏଯାବତ ଏହି ରୋଗରୁ ଏକ କୋଟି ୨୪ ଲକ୍ଷ ୨୯ ହଜାର ୫୬୪ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୭୩ ହଜାର ୧୨୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ରେକର୍ଡ ସଂକ୍ରମଣ ସହ ସକ୍ରିୟ ମାମଲାରେ ବି ଲଗାତର ବୃଦ୍ଧି ଘଟିଛି । ଏବେ ଦେଶରେ ମୋଟ ସକ୍ରିୟ ମାମଲା ୧୪ ଲକ୍ଷ ୭୧ ହଜାର ୮୭୭ରେ ପହଞ୍ଚିଛି ।