ଭାରତର ଷଷ୍ଠ ବୋଲର ଭାବେ ୩୦୦ ୱିକେଟ୍ କ୍ଲବ୍‌ରେ ଈଶାନ୍ତ | News Room Odisha

ଭାରତର ଷଷ୍ଠ ବୋଲର ଭାବେ ୩୦୦ ୱିକେଟ୍ କ୍ଲବ୍‌ରେ ଈଶାନ୍ତ

ଚେନ୍ନାଇ – ଭାରତର ଭେଟେରାନ ପେସର ଈଶାନ୍ତ ଶର୍ମା ୩୦୦ ଟେଷ୍ଟ ୱିକେଟ୍ କ୍ଲବ୍‌ରେ ସାମିଲ ହୋଇଛନ୍ତି । ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଚତୁର୍ଥ ଦିବସରେ ସେ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ଭାରତର ଷଷ୍ଠ ବୋଲର ଓ ତୃତୀୟ ଦ୍ରୁତ ବୋଲର ଭାବେ ସେ ଏହି ଫର୍ମାଟରେ ୩୦୦ ୱିକେଟ୍ ନେଇଛନ୍ତି । ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଡାନ୍ ଲରେନ୍ସଙ୍କୁ ଆଉଟ୍ କରି ଈଶାନ୍ତ ଏହି ମାଇଲଖୁଣ୍ଟ ଛୁଁଇଥିଲେ । ଏହି ୩୨ ବର୍ଷୀୟ ଦ୍ରୁତ ବୋଲର ନିଜ ୯୮ତମ ଟେଷ୍ଟରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ।
ଈଶାନ୍ତଙ୍କ ପୂର୍ବରୁ ଭାରତର ଅନିଲ କୁମ୍ବଲେ, କପିଳ ଦେବ, ରବିଚନ୍ଦ୍ରନ ଅଶ୍ୱିନ, ହରଭଜନ ସିଂ ଓ ଜାହିର ଖାନ୍ ଏହି ମାଇଲଖୁଣ୍ଟର ଅଧିକାରୀ ହୋଇଥିଲେ । ଭାରତ ପକ୍ଷରୁ ୩୦୦ ୱିକେଟ୍ ନେବାରେ ଅଶ୍ୱିନ ହେଉଛନ୍ତି ସବୁଠୁ ଦ୍ରୁତତମ ବୋଲର । ଅଶ୍ୱିନ ତାଙ୍କର ୫୪ତମ ଟେଷ୍ଟରେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ । କୁମ୍ବଲେ ୬୬, ହରଭଜନ ୭୨, କପିଳ ୮୩ ଓ ଜାହିର ନିଜ ୮୯ତମ ଟେଷ୍ଟରେ ୩୦୦ ୱିକେଟ୍ ନେଇଥିଲେ ।