ଭାରତୀୟ ଟେଷ୍ଟ ଦଳରେ ନଟରାଜନ ସାମିଲ | News Room Odisha

ଭାରତୀୟ ଟେଷ୍ଟ ଦଳରେ ନଟରାଜନ ସାମିଲ

ମେଲବୋର୍ଣ୍ଣ – ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ୟର୍କର ସେନ୍‌ସେସନ୍ ଟି.ନଟରାଜନ ସାମିଲ ହୋଇଛନ୍ତି । ଆହତ ଉମେଶ ଯାଦବଙ୍କ ସ୍ଥାନରେ ନଟରାଜନଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ମହମ୍ମଦ ସାମିଙ୍କ ସ୍ଥାନ ନେଇଛନ୍ତି ଶାର୍ଦ୍ଦୁଲ ଠାକୁର । ମେଲବୋର୍ଣ୍ଣରେ ଅନୁଷ୍ଠିତ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଉମେଶ ଯାଦବଙ୍କ ଉରୁ ମାଂସପେଶୀ ଟାଣି ହୋଇଯିବା ଯୋଗୁଁ ସେ ଦ୍ୱିତୀୟ ଇନିଂସରେ ମାତ୍ର ୨୧ ବଲ୍ ପକାଇବା ପରେ ପଡ଼ିଆ ଛାଡ଼ିଥିଲେ । ଉମେଶ ଶେଷ ଦୁଇଟି ଟେଷ୍ଟରୁ ବାଦ୍ ପଡିଛନ୍ତି । ଯାଦବଙ୍କ ସ୍ଥାନରେ ସିନିୟର ଚୟନ କମିଟି ନଟରାଜନଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ଗସ୍ତର କେବଳ ସୀମିତ ଓଭର ସିରିଜ୍ ପାଇଁ ନଟରାଜନଙ୍କୁ ଭାରତୀୟ ଦଳର ସ୍ଥାନ ମିଳିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜରେ ନଟରାଜନ ଚମତ୍କାର ପ୍ରଦର୍ଶନ କରି ୮ଟି ୱିକେଟ୍ ନେଇଥିଲେ । ସୀମିତ ଓଭର ସିରିଜ୍ ଶେଷ ହେବା ପରେ ବି ତାଙ୍କୁ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆରେ ରହିବାକୁ କୁହାଯାଇଥିଲା । କାରଣ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତିରେ ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନେଟ୍ ବୋଲର ଭାବେ ସାହାଯ୍ୟ କରୁଥିଲେ ।
ନଟରାଜନ୍ ତାମିଲନାଡୁ ପାଇଁ ରଣଜୀ ଟ୍ରଫି ଖେଳନ୍ତି । ସେ ଏଯାବତ୍ ତାମିଲନାଡୁ ତରଫରୁ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ଗତ ବୁଧବାର ରୋହିତ ଶର୍ମା କ୍ୱାରେଣ୍ଟାଇନ୍ ସାରି ଭାରତୀୟ ଦଳ ସହ ଯୋଗ ଦେଇଥିଲେ । ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସମ୍ପ୍ରତି ୧-୧ ସ୍ଥିତିରେ ରହିଛି । ସିରିଜ ତୃତୀୟ ଟେଷ୍ଟ ଜାନୁୟାରୀ ୭ରୁ ସିଡନୀରେ ଆରମ୍ଭ ହେଉଛି ।