ମିଆଁମାର ସେନାର ଦମନଲୀଳା ଜାରି, ୬୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ମୃତ୍ୟୁ | News Room Odisha

ମିଆଁମାର ସେନାର ଦମନଲୀଳା ଜାରି, ୬୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ମୃତ୍ୟୁ

ୟେଙ୍ଗୁନ – ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଦାବିରେ ବିକ୍ଷୋଭରତ ନାଗରିକଙ୍କ ଉପରେ ମିଆଁମାର ସେନାର ଦମନଲୀଳା ଜାରି ରହିଛି । ଶନିବାର ମିଆଁମାର ସେନାର କାର୍ଯ୍ୟାନୁଷ୍ଠାନରେ ୬୪ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି ।
ଦେଶର ଗଣତାନ୍ତ୍ରିକ ସରକାର ବିରୋଧରେ ସେନା ବିଦ୍ରୋହର ପ୍ରତିବାଦରେ ଶନିବାର ମଧ୍ୟ ରାଜଧାନୀ ୟେଙ୍ଗୁନ ସମେତ ମାଣ୍ଡାଲେ ଏବଂ ଅନ୍ୟ ସହରରେ ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ । ସେନାର ଚେତାବନୀକୁ ମାନିନଥିଲେ ବିକ୍ଷୋଭକାରୀ । ସେନାର କାର୍ଯ୍ୟାନୁଷ୍ଠାନରେ ଜଣେ ବାଳକଙ୍କ ସମେତ ୬୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସାମରିକ ବିଦ୍ରୋହ ପରଠୁ ଆଜି ସବୁଠୁ ଅଧିକ ସଂଖ୍ୟକ ବିକ୍ଷୋଭକାରୀଙ୍କୁ ହତ୍ୟା କରାଯାଇଛି । ଫେବୃୟାରୀ ପହିଲାରୁ ଦେଶବ୍ୟାପୀ ସେନା ବିରୋଧୀ ବିକ୍ଷୋଭରେ ଏଯାବତ୍ ୪୦୦ ନାଗରିକ ପ୍ରାଣ ହରାଇଲେଣି ।

ସୂଚନାଯୋଗ୍ୟ ଫେବୃୟାରୀ ୧ରେ ଦେଶର ଗଣତାନ୍ତ୍ରିକ ସରକାର ବିରୋଧରେ ସାମରିକ ବିଦ୍ରୋହ କରିଥିଲା ମିଆଁମାର ସେନା । ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଙ୍ଗ୍ ସାନ୍ ସୁକିଙ୍କ ସହ ଅନେକ ନେତାଙ୍କୁ ଗିରଫ କରାଯାଇଥିଲା । ନଭେମ୍ବର ୨୦୨୦ରେ ଅଙ୍ଗ୍ ସାନ୍ ସୁକିଙ୍କ ଦଳ ନିର୍ବାଚନରେ ଜିତିଥିଲା । ତେବେ ଏହି ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲା ସେନା ।