ମିଥ୍ୟା ଖବର ଓ ବିଭ୍ରାନ୍ତିକର ପୋଷ୍ଟ ନେଇ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ | News Room Odisha

ମିଥ୍ୟା ଖବର ଓ ବିଭ୍ରାନ୍ତିକର ପୋଷ୍ଟ ନେଇ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ – ମିଥ୍ୟା ଖବର ମାମଲାରେ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ମିଥ୍ୟା ଖବର ଏବଂ ବିଭ୍ରାନ୍ତିକର ବାର୍ତ୍ତା ମାଧ୍ୟମରେ ଟ୍ବିଟରରେ ଘୃଣା ସୃଷ୍ଟିକାରୀ ପୋଷ୍ଟ ଏବଂ ବିଜ୍ଞାପନର ଯାଞ୍ଚ ପାଇଁ ପଦକ୍ଷେପ ନେବା ଉପରେ କୋର୍ଟ ଜବାବ ଲୋଡିଛନ୍ତି । କୋର୍ଟ ଟ୍ୱିଟର ଏବଂ କେନ୍ଦ୍ରକୁ ଏପରି ଏକ ସିଷ୍ଟମ ତିଆରି କରିବାକୁ କହିଛନ୍ତି ଯାହା ମାଧ୍ୟମରେ ମିଥ୍ୟା ଖବର ଏବଂ ଉତ୍ତେଜନା ପୂର୍ଣ୍ଣ ବାର୍ତ୍ତାର ପ୍ରସାର ରୋକାଯାଇ ପାରିବ ।

ଶୁକ୍ରବାର ସୁପ୍ରିମକୋର୍ଟ ବିଜେପି ନେତା ଭିନୀତ ଗୋଏଙ୍କାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଓ ଟ୍ବିଟରକୁ ନୋଟିସ ଜାରି କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଶେଷ କରି ଟ୍ୱିଟରରେ ‘ଭାରତ ବିରୋଧୀ’ ଏବଂ ‘ଜାତୀୟ ବିରୋଧୀ’ ପୋଷ୍ଟର ଯାଞ୍ଚ ପାଇଁ ବ୍ୟବସ୍ଥା କରିବାକୁ ଗୋଏଙ୍କା ନିଜ ପିଟିସନରେ ଦାବି କରିଛନ୍ତି୍ ।

ଆବେଦନକାରୀ ତାଙ୍କ ପିଟିସନରେ କହିଛନ୍ତି ଯେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ଶହ ଶହ ନକଲି ଟ୍ୱିଟର ଏବଂ ଫେସବୁକ୍ ଆକାଉଣ୍ଟ ଚାଲୁଛି। ଏହି ନକଲି ଟ୍ୱିଟର ହ୍ୟାଣ୍ଡେଲ ଏବଂ ଫେସବୁକ୍ ଆକାଉଣ୍ଟଗୁଡିକ ପ୍ରସିଦ୍ଧ ନାଗରିକଙ୍କ ପ୍ରକୃତ ଫଟୋ ବ୍ୟବହାର କରନ୍ତି | ଯେଉଁ କାରଣରୁ ସାଧାରଣ ଲୋକ ଯାଞ୍ଚ୍ କରିବା ପରିବର୍ତ୍ତେ ଏହି ଆକାଉଣ୍ଟ୍ ଗୁଡିକୁ ଅସଲି ବୋଲି ଧରି ନିଅନ୍ତି ଏବଂ ସେମାନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ମଧ୍ୟ
ସତ ବୋଲି ବିଶ୍ବାସ କରନ୍ତି | ନକଲି ଆକାଉଣ୍ଟ ମାଧ୍ୟମରେ ମିଥ୍ୟା ଖବର ଏବଂ ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ସେୟାର କରି ସମାଜରେ ହିଂସା ଓ‌ ଘୃଣାର ବାତାବରଣ ସୃଷ୍ଟି କରାଯାଉଛିି ବୋଲି ପିଟିସନରେ କୁହାଯାଇଛି।