ମୁକେଶ ଅମ୍ବାନିଙ୍କ ଘର ନିକଟରୁ ଜବତ ବିସ୍ଫୋରକ ଭର୍ତ୍ତି ଗାଡ଼ିର ମାଲିକଙ୍କ ମୃତଦେହ ମିଳିଲା | News Room Odisha

ମୁକେଶ ଅମ୍ବାନିଙ୍କ ଘର ନିକଟରୁ ଜବତ ବିସ୍ଫୋରକ ଭର୍ତ୍ତି ଗାଡ଼ିର ମାଲିକଙ୍କ ମୃତଦେହ ମିଳିଲା

ମୁମ୍ବାଇ – ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମୁମ୍ବାଇ ସ୍ଥିତ ବାସଭବନ ନିକଟରୁ କିଛି ଦିନ ତଳେ ଜବତ ବିସ୍ଫୋରକ ଭର୍ତ୍ତି ଏକ ସ୍କୋର୍ପିଓ ଗାଡ଼ିର ମାଲିକ ମନସୁଖ ହିରେନଙ୍କ ମୃତଦେହ ମିଳିଛି । ପୋଲିସ୍ ସୂଚନା ଅନୁସାରେ ହିରେନ୍ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହ ଥାନେର କାଲୱା ଅଞ୍ଚଳରୁ ଉଦ୍ଧାର କରାଯାଇଛି ।

ମୁକେଶ ଅମ୍ବାନିଙ୍କ ବହୁତଳ ବିଶିଷ୍ଟ କୋଠା ‘ଆଣ୍ଟିଲିଆ’ ନିକଟରୁ ଫେବୃୟାରୀ ୨୫ରେ ଏକ ସ୍କୋର୍ପିଓ ଗାଡ଼ିରୁ ୨.୫ କେଜି ଜିଲେଟିନ୍ କାଠି ଜବତ କରାଯାଇଥିଲା । ଉକ୍ତ ଗାଡ଼ି ଭିତରୁ ଅମ୍ବାନି ଓ ତାଙ୍କ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା । ପୋଲିସ୍ ଏହି ଘଟଣାରେ ଆତଙ୍କବାଦୀ ଷଡଯନ୍ତ୍ରକୁ ଅସ୍ୱୀକାର କରିଥିଲା । ହିରେନ ଉକ୍ତ ସ୍କୋର୍ପିଓ କାର୍‌ର ମାଲିକ ଥିଲେ । ତେବେ କାର୍‌କୁ ଅମ୍ବାନିଙ୍କ ବାସଭବନ ନିକଟରେ ପାର୍କିଂ କରିଥିବା ଲୋକର ପରିଚୟ ମିଳି ନାହିଁ ।
ହିରେନ୍ ଗୁରୁବାର ଠାରୁ ନିଖୋଜ ଥିଲେ । ଏନେଇ ତାଙ୍କ ପରିବାର ତରଫରୁ ନୌପଡା ପୋଲିସ୍ ଥାନାରେ ଅଭିଯୋଗ ଦିଆଯାଇଥିଲା ।

‘ଆଣ୍ଟିଲିଆ’ ନିକଟରେ ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓକୁ ପାର୍କିଂ କରିବା ପରେ ଏକ ଇନୋଭା କାର୍‌ରେ ସେଠାରୁ ଚମ୍ପଟ ମାରିଥିବା ଲୋକକୁ ପୋଲିସ୍ ଖୋଜୁଛି । ପୋଲିସ୍ ପୂର୍ବରୁ କହିଥିଲା ଯେ, ଜବତ ସ୍କର୍ପିଓକୁ ମୁଲୁନ୍ଦ ଅଞ୍ଚଳରୁ ଚୋରି କରାଯାଇଥିଲା ।