ମୋଦିଙ୍କ ‘ମନ୍ କି ବାତ୍‌’କୁ ଥାଳି ପିଟି ବିରୋଧ କଲେ ଚାଷୀ | News Room Odisha

ମୋଦିଙ୍କ ‘ମନ୍ କି ବାତ୍‌’କୁ ଥାଳି ପିଟି ବିରୋଧ କଲେ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ୩୨ ଦିନ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଅନେକ ରାଜ୍ୟର ହଜାର ହଜାର ଚାଷୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଥାଳି ପିଟି ବିରୋଧ କରିଥିଲେ । ଭାରତୀୟ କିଷାନ ୟୁନିୟନ (ବିକେୟୁ)ର ଜାତୀୟ ପ୍ରବକ୍ତା ରାକେଶ ଟିକୈତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ଯେ, କରୋନାକୁ ତଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ଥାଳି ବଜାଇବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ । ସେହିଭଳି ଆମେ ବି କୃଷି ଆଇନକୁ ହଟାଇବା ପାଇଁ ଥାଳି ବଜାଉଛୁ । ସରକାର ନିଜକୁ ସୁଧାରିବା ପାଇଁ ଏହା ଏକ ସନ୍ଦେଶ ବୋଲି ଟିକୈତ କହିଛନ୍ତି । ଆମେ ଡିସେମ୍ବର ୨୯ରେ ସରକାରଙ୍କ ସହ ପୁଣି ଆଲୋଚନା କରିବୁ । ଆଉ କିଛି ଦିନ ପରେ ନୂଆବର୍ଷ ଆସିବ । ନୂଆବର୍ଷ ଯେଭଳି ସମସ୍ତଙ୍କ ପାଇଁ ଶୁଭ ହେଉ । ଯଦି ମୋଦି କୃଷି ଆଇନ ପ୍ରତ୍ୟାହାର କରନ୍ତି, ତେବେ ଆମ ପାଇଁ ମଧ୍ୟ ନବବର୍ଷ ଶୁଭମୟ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ‘କ୍ରାନ୍ତିକାରୀ କିଷାନ ୟୁନିୟନ’ର ଅଧ୍ୟକ୍ଷ ଦର୍ଶନ ପାଲ କହିଛନ୍ତି ଯେ, କୃଷି ଆଇନ ବିରୋଧରେ ଡିସେମ୍ବର ୩୦ରେ ସୀଂଘୁ ସୀମାରୁ ସେମାନେ ଏକ ଟ୍ରାକ୍ଟର ଶୋଭାଯାତ୍ରା କରିବେ । ଏଥିରେ ଯୋଗଦେବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ ବୋଲି ପାଲ୍ କହିଛନ୍ତି ।